ମହିଳା କନେଷ୍ଟବଳଙ୍କ ସ୍ୱାମୀଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳର ଖୁଣ୍ଟାପଡ଼ା ନିକଟରେ ଗୁଳିମାଡ଼ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଫାୟାରିଂରେ ଗୁରୁତର ଆହତ ହୋଇଥିବା ଜଣେ ମହିଳା କନେଷ୍ଟବଳଙ୍କ ସ୍ୱାମୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଲେ ଖଜିରାପଶି ଗାଁର ତ୍ରିଲୋଚନ ମହାନ୍ତ। ତ୍ରିଲୋଚନ କେନ୍ଦେଇପଶି ଛକ ନିକଟରେ ଏକ ଜନସେବା କେନ୍ଦ୍ର ପରିଚାଳନା କରୁଥିଲେ। ଗତକାଲି ରାତି ପ୍ରାୟ ୧୧ଟା ୩୦ରେ ଦୋକାନ ବନ୍ଦ କରି ସେ ପାଟଣା ଅଭିମୁଖେ ଫେରୁଥିଲେ। ଏହି ସମୟରେ ଖୁଣ୍ଟାପଡ଼ା ନିକଟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିବା ସୂଚନା ମିଳିଛି। ଗୁଳିମାଡ଼ରେ ଗୁରୁତର ହୋଇଥିବା ତ୍ରିଲୋଚନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଧରଣୀଧର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି।

ଘଟଣା ପରେ ଗୁଳିମାଡ଼ କରିଥିବା ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଛନ୍ତି। ଫାୟାରିଂର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୂର୍ବ ଶତ୍ରୁତାରୁ ଏହି ଗୁଳିମାଡ଼ ହୋଇଛି ନା ଟଙ୍କା ଲୁଟ୍‌ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ଘଟଣାକୁ ନେଇ ତୁରୁମୁଙ୍ଗା ପୁଲିସ ସ୍ଥାନୀୟ ଅଞ୍ଚଳରେ ଛାନଭିନ୍ ଜାରି ରଖିଛି। ଗୁଳିମାଡ଼ ପଛରେ କିଏ ଏବଂ କେଉଁ ଉଦ୍ଦେଶ୍ୟ ଥିଲା, ତାହା ଜାଣିବାକୁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial