ସର୍ପାଘାତରେ ହଷ୍ଟେଲ ଛାତ୍ରଙ୍କ ମୃତ୍ୟୁ ପରେ ତୀବ୍ର ପ୍ରତିବାଦ; ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ, ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଅକ୍ଷର ବ୍ୟୁରୋ: ସର୍ପାଘାତରେ ଜଣେ ୫ମ ଶ୍ରେଣୀ ହଷ୍ଟେଲ ଛାତ୍ରଙ୍କ ମୃତ୍ୟୁକୁ ନେଇ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଶତାଧିକ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟରେ ପହଞ୍ଚି ପ୍ରତିବାଦ କରିବା ସହ ସ୍କୁଲରେ ତାଲା ପକାଇ ଦେଇଥିଲେ। ଘଟଣା ପରେ ଶିକ୍ଷା ବିଭାଗ ତୁରନ୍ତ ପଦକ୍ଷେପ ନେଇ ପ୍ରଧାନ ଶିକ୍ଷୟିତ୍ରୀ ସୁବର୍ଣ୍ଣମଞ୍ଜରୀ ଭୂୟାଁଙ୍କୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କରିଛି।

ସୂଚନା ଅନୁସାରେ, ଗତ ମଙ୍ଗଳବାର ଅପରାହ୍ନରେ ବାରିପଦା ଉପକଣ୍ଠ ବାଇଗଣବାଡ଼ିଆ ଅଞ୍ଚଳର ରବୀନ୍ଦ୍ର ସୋରେନଙ୍କ ପୁଅ ସପନ ସୋରେନ, ଯିଏ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀର ହଷ୍ଟେଲ ଛାତ୍ର ଥିଲେ, ସ୍କୁଲ ପରିସରରେ ଖେଳୁଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ିଥିଲା।

ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ବୈଶିଙ୍ଗା ମେଡିକାଲ, ପରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ପରବର୍ତ୍ତୀ ସମୟରେ କଟକର ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସପନଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଚରମ ଦାୟିତ୍ୱହୀନତା ଯୋଗୁଁ ଛାତ୍ରଙ୍କ ଜୀବନ ଯାଇଥିବା ଅଭିଯୋଗ କରି ଶତାଧିକ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟରେ ହଙ୍ଗାମା କରିଥିଲେ। ପ୍ରତିବାଦକାରୀମାନେ ସ୍କୁଲରେ ତାଲା ପକାଇବା ସହ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବାହାରକୁ ଯିବାକୁ ଦେଇନଥିବା ଅଭିଯୋଗ ହୋଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।

ଅନ୍ୟପଟେ, ଘଟଣାର ପ୍ରାଥମିକ ତଦନ୍ତ ପରେ ଶିକ୍ଷା ବିଭାଗ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପ୍ରମାଣିତ ହେବା ପରେ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁବର୍ଣ୍ଣମଞ୍ଜରୀ ଭୂୟାଁଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଛାତ୍ରଙ୍କ ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଶୋକ ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial