ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ଓ ନିବେଶ କ୍ଷେତ୍ରରେ ବଡ଼ ଧରଣର ପ୍ରସ୍ତାବିତ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୬ତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (HLCA) ବୈଠକରେ ୧୫ଟି ଜିଲ୍ଲାରେ ୨୭ଟି ବୃହତ୍ ପ୍ରକଳ୍ପ ପାଇଁ ମୋଟ ₹୨,୪୭,୧୧୫.୭୦ କୋଟିର ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକରୁ ୫୦,୧୬୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଡାଟା ସେଣ୍ଟର ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ପାୱାର ଓ ଅକ୍ଷୟ ଶକ୍ତି, ଇସ୍ପାତ, ସେମିକଣ୍ଡକ୍ଟର, ଗ୍ରୀନ୍ ଏନର୍ଜି, ଲାବ୍-ଗ୍ରୋନ୍ ଡାଏମଣ୍ଡ, ଗ୍ରୀନ୍ ହାଇଡ୍ରୋଜେନ୍, ସ୍ୱାସ୍ଥ୍ୟସେବା, ରସାୟନ, ବୟନଶିଳ୍ପ, ଜାହାଜ ନିର୍ମାଣ ଓ ମରାମତି ସମେତ ବିଭିନ୍ନ କ୍ଷେତ୍ରରେ ହେବ।
ଡାଟା ସେଣ୍ଟରରେ ୧.୪୩ ଲକ୍ଷ କୋଟି
ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ସବୁଠାରୁ ବଡ଼ ନିବେଶ ଡାଟା ସେଣ୍ଟର, IT/ITES ଓ AI କ୍ଷେତ୍ରରେ ହେବାକୁ ଯାଉଛି। ଏହି କ୍ଷେତ୍ରର ୪ଟି ପ୍ରକଳ୍ପରେ ପ୍ରାୟ ₹୧,୪୨,୯୪୧ କୋଟି ନିବେଶ ପ୍ରସ୍ତାବ ରହିଛି। ଖୋର୍ଦ୍ଧାରେ High Density Datacentre Ltd ପକ୍ଷରୁ ₹୧,୦୪,୫୫୦ କୋଟି ବ୍ୟୟରେ ଏକ Integrated Data Centre ସ୍ଥାପନ କରାଯିବ। ଏହି ପ୍ରକଳ୍ପରୁ ପ୍ରାୟ ୧,୦୦୦ ନିଯୁକ୍ତି ସୁଯୋଗ ଆସିପାରେ।
ସେହିପରି ଖୋର୍ଦ୍ଧାରେ HCL Technologies ₹୧୪,୨୫୭ କୋଟି ନିବେଶରେ AI-Optimised Data Centre ସ୍ଥାପନ କରିବ। ଏଥିରୁ ପ୍ରାୟ ୩୮୫ଟି ନିଯୁକ୍ତି ସୁଯୋଗ ଆଶା କରାଯାଉଛି। ପୁରୀରେ Sentraforge AI Ltd ₹୨୨,୬୩୪ କୋଟି ନିବେଶରେ AI Data Centre ସହ Global Capability Centre (GCC) ସ୍ଥାପନ କରିବ। ଏଥିରେ ପ୍ରାୟ ୨,୩୨୦ ନିଯୁକ୍ତି ସୁଯୋଗ ରହିଛି। କଟକରେ RKD Construction Pvt Ltd ₹୧,୫୦୦ କୋଟି ନିବେଶରେ ଡାଟା ସେଣ୍ଟର ସ୍ଥାପନ କରିବ।
ଦେବଗଡ଼-ଅନୁଗୋଳରେ ପାୱାର ପ୍ଲାଣ୍ଟ
ପାୱାର ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ମଧ୍ୟ ବଡ଼ ନିବେଶ ପ୍ରସ୍ତାବ ରହିଛି। ଏହି କ୍ଷେତ୍ରରେ ମୋଟ ₹୫୪,୨୮୭.୭୦ କୋଟି ନିବେଶ ପ୍ରସ୍ତାବ ରହିଛି। NLC India Ltd ଦେବଗଡ଼ରେ ୩,୨୦୦ ମେଗାୱାଟ୍ର ଥର୍ମାଲ୍ ପାୱାର ପ୍ଲାଣ୍ଟ ପାଇଁ ₹୩୪,୭୬୩.୫୧ କୋଟି ଏବଂ ଅନୁଗୋଳରେ ୧,୦୮୦ ମେଗାୱାଟ୍ର ପାୱାର ପ୍ଲାଣ୍ଟ ପାଇଁ ₹୧୧,୬୦୪.୧୯ କୋଟି ନିବେଶ କରିବ।
ଗଞ୍ଜାମରେ ଜାହାଜ ନିର୍ମାଣ ଓ ମରାମତି
ଗଞ୍ଜାମରେ Larsen & Toubro ପକ୍ଷରୁ ଜାହାଜ ନିର୍ମାଣ ଓ ଜାହାଜ ମରାମତି କମ୍ପ୍ଲେକ୍ସ ସ୍ଥାପନ ପାଇଁ ₹୧,୦୦୦ କୋଟିର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିରୁ ପ୍ରାୟ ୭୦୦ ନିଯୁକ୍ତି ସୁଯୋଗ ଆଶା କରାଯାଉଛି। ଏହା ସହ ଗଞ୍ଜାମରେ Larsen & Toubroର ₹୫,୦୦୦ କୋଟିର Green Energy Equipment Manufacturing Unit ଏବଂ ₹୨,୧୦୦ କୋଟିର Advanced Fabrication & Manufacturing Complexକୁ ମଧ୍ୟ ଅନୁମୋଦନ ମିଳିଛି।
ଖୋର୍ଦ୍ଧାରେ ୧୦୦୦ ଶଯ୍ୟାର ହସ୍ପିଟାଲ
ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବଡ଼ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଖୋର୍ଦ୍ଧାରେ Adani Foundation ₹୨,୧୫୦ କୋଟି ନିବେଶରେ ୧,୦୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସୁପର ସ୍ପେସିଆଲିଟି ହସ୍ପିଟାଲ ସ୍ଥାପନ କରିବ। ଏହି ପ୍ରକଳ୍ପରୁ ପ୍ରାୟ ୧,୭୦୦ ନିଯୁକ୍ତି ସୁଯୋଗ ଆସିବାର ସମ୍ଭାବନା ରହିଛି।
ଅନ୍ୟ କେଉଁଠି କେଉଁ ପ୍ରକଳ୍ପ?
ସେମିକଣ୍ଡକ୍ଟର କ୍ଷେତ୍ରରେ ଖୋର୍ଦ୍ଧାରେ SICSEM ପକ୍ଷରୁ Silicon Carbide wafer ଓ Gallium Nitride manufacturing unit ପାଇଁ ₹୨,୦୭୮ କୋଟି ନିବେଶ ହେବ। ରାୟଗଡ଼ା ଓ କୋରାପୁଟରେ Pumped Storage Hydropower ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି। ସୁନ୍ଦରଗଡ଼ରେ Rungta Mines ଓ Shakambhari Ispat & Powerର ଇସ୍ପାତ ପ୍ରକଳ୍ପ ପାଇଁ ମୋଟ ₹୧୪,୦୦୦ କୋଟି ନିବେଶ ପ୍ରସ୍ତାବ ରହିଛି। ଏହା ବ୍ୟତୀତ ଲାବ୍-ଗ୍ରୋନ୍ ଡାଏମଣ୍ଡ, ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ଆମୋନିଆ, ଗ୍ରୀନ୍ ମେଥାନଲ୍, ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍, ଟେକ୍ସଟାଇଲ୍, ରସାୟନ ଓ ଅନ୍ୟାନ୍ୟ କ୍ଷେତ୍ରର ପ୍ରକଳ୍ପ ମଧ୍ୟ ଏହି ମଞ୍ଜୁରି ତାଲିକାରେ ରହିଛି।
ଏହି ୨୭ଟି ପ୍ରକଳ୍ପ ଅନୁଗୋଳ, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୂଆପଡ଼ା, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରସ୍ତାବିତ ହୋଇଛି। ଏହି ଅନୁମୋଦନ ମଧ୍ୟରେ ଡାଟା ସେଣ୍ଟର ଓ AI ଭଳି ନୂଆ ପିଢ଼ିର ଶିଳ୍ପ ସହ ପାୱାର, ଇସ୍ପାତ, ସ୍ୱାସ୍ଥ୍ୟ ଓ ମାନୁଫାକ୍ଚରିଂ ଭଳି ପାରମ୍ପରିକ କ୍ଷେତ୍ରର ପ୍ରକଳ୍ପ ମଧ୍ୟ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ଏଭଳି ବିଭିନ୍ନ କ୍ଷେତ୍ରର ପ୍ରକଳ୍ପ ମଞ୍ଜୁରି ରାଜ୍ୟରେ ନିବେଶ ଆଗ୍ରହ, ଭବିଷ୍ୟତମୁଖୀ ଭିତ୍ତିଭୂମି ଓ ବିଭିନ୍ନ ଅଞ୍ଚଳରେ ଶିଳ୍ପ ବିକାଶ ଉପରେ ସରକାରଙ୍କ ଗୁରୁତ୍ୱକୁ ପ୍ରତିଫଳିତ କରୁଛି।














Leave a Reply