ଅକ୍ଷର ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପୂର୍ବରୁ କେନିଆରେ ଇସ୍କନ (ISKCON) ପକ୍ଷରୁ ରଥଯାତ୍ରା ଆୟୋଜନକୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି। ଇସ୍କନର ଏହି ପଦକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଶ୍ୱପ୍ରସିଦ୍ଧ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ କହିଛନ୍ତି, ପୁରୀ ରଥଯାତ୍ରା ପୂର୍ବରୁ ବିଦେଶରେ ରଥଯାତ୍ରା ଆୟୋଜନ କରାଯିବା ଅନେକ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି।
ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ପୁରୀର ଶ୍ରୀଜଗନ୍ନାଥ ରଥଯାତ୍ରା କେବଳ ଓଡ଼ିଶାର ନୁହେଁ, ବରଂ ସମଗ୍ର ବିଶ୍ୱର କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ପରମ୍ପରାର ମହାପର୍ବ। ପ୍ରତିବର୍ଷ ଏହି ଐତିହାସିକ ରଥଯାତ୍ରାରେ ସାମିଲ ହେବା ଏବଂ ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ବିଶ୍ୱର ବିଭିନ୍ନ ଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀକୁ ଆସିଥାନ୍ତି।
ସେ ଆହୁରି କହିଛନ୍ତି ଯେ, ବର୍ଷକୁ ମାତ୍ର ଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରୁ ବାହାରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହି ମହାପର୍ବକୁ ନେଇ ସାରା ବିଶ୍ୱରେ ଭକ୍ତି, ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ତେଣୁ ପୁରୀର ମୂଳ ରଥଯାତ୍ରା ପୂର୍ବରୁ ବିଦେଶରେ ରଥଯାତ୍ରା ଆୟୋଜନ କରିବା ଉଚିତ ନୁହେଁ ବୋଲି ସେ ମତ ପ୍ରକାଶ କରିଛନ୍ତି।
କେନିଆରେ ଇସ୍କନ ପକ୍ଷରୁ ପୂର୍ବରୁ ରଥଯାତ୍ରା ଆୟୋଜନକୁ ନେଇ ଦୁଃଖ ପ୍ରକାଶ କରି ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ଏଭଳି ପଦକ୍ଷେପ ଅନେକ ଜଗନ୍ନାଥ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଛି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ମୂଳ ପରମ୍ପରା, ଗୌରବ ଓ ଆଧ୍ୟାତ୍ମିକ ମହତ୍ତ୍ୱକୁ ସମ୍ମାନ ଦେବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି। ପୁରୀ ରଥଯାତ୍ରାକୁ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ବେଳେ କେନିଆରେ ଇସ୍କନର ଏହି ରଥଯାତ୍ରା ଏବଂ ତାହାକୁ ନେଇ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଏବେ ଜଗନ୍ନାଥପ୍ରେମୀ ଓ ଭକ୍ତମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
















Leave a Reply