ଅକ୍ଷର ବ୍ୟୁରୋ: ଓଡ଼ିଶାର ବରଗଡ଼ ଜିଲ୍ଲାସ୍ଥିତ ଘେଁସ ମାଟିରେ ଜନ୍ମିତ ଜାତୀୟ ବୀର ଶହୀଦ ମାଧୋ ସିଂହଙ୍କ ସ୍ମୃତି ରକ୍ଷା ପାଇଁ ପଦକ୍ଷେପ ନିଆଯାଉ ଏବଂ ତାଙ୍କ ପ୍ରମୁଖ ରଣସ୍ଥଳୀ ଛତିଶଗଡ଼-ଓଡ଼ିଶା ସୀମାନ୍ତରେ ଥିବା ସିଙ୍ଗୋଡା ଘାଟିରେ ତାଙ୍କ ସ୍ମୃତି ପାଇଁ ତୋରଣ, ସ୍ତମ୍ଭ କିମ୍ବା ସ୍ମାରକୀ ନିର୍ମାଣ କରି ଜାତୀୟ ବୀରଙ୍କୁ ଉଚିତ ସମ୍ମାନ ପ୍ରଦର୍ଶନ କରାଯାଉ ବୋଲି ବରଗଡ଼ ସାମ୍ବାଦିକ ସଂଜିବ କୁମାର ମହାପାତ୍ର ଦାବି କରିଛନ୍ତି । ବୁଧବାର ବରଗଡ଼ ସହର ପାଖ ତୁରୁଙ୍ଗାର ବୈଷ୍ଣୋଦେବୀ ମନ୍ଦିର ପରିଦର୍ଶନରେ ଆସିଥିବା ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କୁ ଭେଟି ଏକ ସ୍ମାରକପତ୍ର ଓ ମାଧୋ ସିଂହଙ୍କ ଏକ ପ୍ରତିମୂର୍ତ୍ତି ପ୍ରଦାନ କରିବା ସହିତ ଏନେଇ ଆଲୋଚନା କରିଥିଲେ । ଏବଂ ସହିଦଙ୍କୁ ଯଥାଯୋଗ୍ୟ ସମ୍ମାନ ପ୍ରଦର୍ଶନ ସହିତ ଆଗାମୀ ପିଢ଼ିଙ୍କ ଅବଗତି ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ବିନମ୍ର ନିବେଦନ କରିଥିଲେ ।
ଦେଶପ୍ରେମରେ ଉଦବୁଦ୍ଧ ହୋଇ ଅନ୍ତିମ ନିଃଶ୍ୱାସ ପର୍ଯ୍ୟନ୍ତ ପ୍ରାଣ ମୂର୍ଚ୍ଛା ସଂଗ୍ରାମ କରି ବରଗଡ଼ ଜିଲ୍ଲାର ଘେଁସ ଗ୍ରାମର ମାଧୋ ସିଂହଙ୍କର ପରିବାରରୁ ପିତା ପୁତ୍ର ପାଞ୍ଚଜଣ ତଥା ଛତିଶଗଡ଼ରେ ଥିବା ତାଙ୍କର ସମୁଦୀ, ଝିଅ ଓ ଜ୍ୱାଇଁ ପ୍ରଭୃତି ସମସ୍ତ ସଂପର୍କୀୟ ଜୀବନ ଉତ୍ସର୍ଗ କରିବା କେବଳ ଭାରତୀୟ ମୁକ୍ତି ସଂଗ୍ରାମରେ ଏକ ଦୃଷ୍ଟାନ୍ତ ନୁହେଁ ବରଂ ସମଗ୍ର ବିଶ୍ୱର ମୁକ୍ତି ସଂଗ୍ରାମର ଇତିହାସରେ ମଧ୍ୟ ଏକ ବିରଳ ଘଟଣା । ବିରଳ ଅଧ୍ୟାୟ ସୃଷ୍ଟି କରିଥିବା ପ୍ରତ୍ୟାଶାବିହୀନ ଏହି ବଳିଦାନରେ ଜାତୀୟ ବୀର ମାଧୋ ସିଂହଙ୍କ ଛତିଶଗଡ଼ ନିବାସୀ ସମୁଦୀ, ଝିଅ ଓ ଜ୍ୱାଇଁଙ୍କ ଅବଦାନ ଅତୁଳନୀୟ ।
ତେଣୁ ସିଙ୍ଗୋଡା ଘାଟିରେ ସ୍ମୃତିରକ୍ଷା କରିବା ଛତିଶଗଡ଼ ସରକାରଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ ହେବ ବୋଲି ବରଗଡ଼ ସାମ୍ବାଦିକ ସଂଜିବ କୁମାରଙ୍କ ସମେତ ପଶ୍ଚିମ ଓଡ଼ିଶାର ଅନେକ ବିଜ୍ଞ ବ୍ୟକ୍ତି ମତପ୍ରକାଶ କରୁଥିବାରୁ ଏ ଦିଗରେ ଦୃଷ୍ଟି ନିକ୍ଷେପ କରିବାକୁ ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଯାହାକୁ ସାଦରେ ଗ୍ରହଣ କରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ସମୁଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ମହାପାତ୍ରଙ୍କ ଠାରୁ ଜଣାପଡିଛି । ଏଠାରେ ପ୍ରକାଶ ଥାଉ କି, ସାମ୍ବାଦିକ ଶ୍ରୀ ମହାପାତ୍ର ବରଗଡ଼ ଜିଲ୍ଲାରୁ ପ୍ରକାଶିତ ଓଡ଼ିଶାର ଚର୍ଚ୍ଚିତ ପାକ୍ଷିକ ପତ୍ରିକା କୋଶଲଟାଇମ୍ ର ସଂପାଦକ ଭାବେ କାର୍ଯ୍ୟ କରୁଛନ୍ତି । ସୂଚନାଯୋଗ୍ୟ ଯେ, ଆସନ୍ତା ୩୧ ଡିସେମ୍ବରରେ ବରଗଡ଼ ବାସୀଙ୍କ ସହିତ ରାଜ୍ୟବାସୀ ବୀର ସହୀଦ ମାଧୋ ସିଂହଙ୍କ ବଳିଦାନ ଦିବସକୁ ପାଳନ କରିବାକୁ ଯାଉଛନ୍ତି । ଆଉ ଏଭଳି ସମୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସ୍ମୃତିରକ୍ଷା ପାଇଁ ପ୍ରତିଶ୍ରୁତି ବରଗଡ଼ ଶହୀଦ ସ୍ମୃତି ପରିବାରକୁ ଉତ୍ସାହିତ କରିଛି।












Leave a Reply