ଅକ୍ଷର ବ୍ୟୁରୋ: କାଳବୈଶାଖୀ ଯୋଗୁଁ ସାରା ରାଜ୍ୟରେ କ୍ଷୟକ୍ଷତି ଦେଖିବାକୁ ମିଳିଛି । କେଉଁଠି ଗଛ ପଡି ରାସ୍ତା ଜାମ ତ କେଉଁଠି ମୃତ୍ୟୁ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବଡ଼ ବାଲିକୁଦା ଗ୍ରାମରେ ତାଳ ଗଛ ପଡି ଜଣେ ଯୁବକଙ୍କ ମୃତ୍ୟ ଘଟିଛି, ମୃତକ ଜଣକ ହେଲେ ଅଜିତ ଜେନା । ସୂଚନା ଅନୁଯାୟୀ ବଡ଼ ବାଲିକୁଦା ଗ୍ରାମର ଅଜିତ ଜେନା ଚାଷ ଜମିକୁ ଔଷଧ ଛିଞ୍ଚନ ପାଇଁ ଯାଇଥିବା ସମୟ ରେ ଅଚାନକ କାଳବୈଶାଖୀ ଆସିବାରୁ ଅଜିତ ଛିଡ଼ା ହୋଇଥିବା ସମୟରେ ଏକ ତାଳ ଗଛ ତାଙ୍କ ଉପରେ ପଡ଼ି ଯାଇଥିଲା । ଘଟଣାସ୍ଥଳରେ ଅଜିତଙ୍କ ମୃତ୍ୟୁ ହୋଇଛି । ମେସିନ ସାହାଯ୍ୟରେ ତାଳ ଗଛ ଉଠା ଯାଇ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ମେଡିକାଲକୁ ପଠାଯାଇଛି । ସ୍ୱାମୀର ମୃତ୍ୟୁ ଖବର ଶୁଣି ସ୍ତ୍ରୀ ମଧ୍ୟ ବିଷ ପିଇ ଗୁରୁତର ହୋଇଥିବା ସୂଚନା ମିଳିଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଅନ୍ୟପଟେ ଢେଙ୍କାନାଳରେ ମଧ୍ୟ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । କାମାକ୍ଷାନଗର ବାଦୁରା ଗାଁରେ କାଳବୈଶାଖୀର ତାଣ୍ଡବ ରଚିଛି । ଗଛ ପଡ଼ି ଘର ଓ ବାଇକ ଭାଙ୍ଗିଛି । ଗାଁର ଜିତୁ ନାୟକଙ୍କ ଘର ଭାଙ୍ଗିଛି । ଗଛ ପଡ଼ି ଘର ଭାଙ୍ଗିବା ସହିତ ବାଇକ ଭାଙ୍ଗିଛି । ସେହିପରି ଗାଁର ସୁମନ ନାୟକ, ରତ୍ନାକର ରାଉତଙ୍କ ଘର ଭାଙ୍ଗିଛି । ସେପଟେ କାମାକ୍ଷାନଗର ଥାନା ରାଇବୋଲ ଗ୍ରାମରେ ବଜ୍ରପାତରେ ଜଣେ ମୃତ । ମୃତକ ଜଣକ ସେହି ଗ୍ରାମର ହୃଷିକେଶ ସାହୁ । ହୃଷିକେଶ ଗାଁ ନିକଟରେ ଥିବା ନିଜ ବଗିଚାକୁ ଯାଇଥିବାବେଳେ ଅଚାନକ କାଳବୈଶାଖି ଜନିତ ବର୍ଷା ଓ ବଜ୍ରପାତ ହୋଇଥିଲା । ତାଙ୍କ ବଗିଚାରେ ଥିବା ଘରଟି କାଳବୈଶାଖୀ ପ୍ରଭାବରେ ଭାଙ୍ଗିଯାଇଥିବାବେଳେ ହୃଷିକେଶଙ୍କ ଉପରେ ବଜ୍ରପାତ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ସ୍ଥାନୀୟ ସରପଞ୍ଚ ଶାନ୍ତନୁ କୁମାର ସାହୁ ଓ ଅନ୍ୟ ଗ୍ରାମବାସୀ ପହଞ୍ଚିଥିବାବେଳେ ବଜ୍ରପାତରେ ହୃଷିକେଶଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।












Leave a Reply