ଅକ୍ଷର ବ୍ୟୁରୋ: ଅନୁଗୋଳ ଜିଲ୍ଲାରେ ଏକ ମନ୍ଦିର ଚୋରି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଛେଣ୍ଡିପଦା ଅଞ୍ଚଳର ଜରପଡ଼ା ଥାନା ଅନ୍ତର୍ଗତ ତୁକୁଡ଼ା ଗାଁର ମା’ କାଳୀ ମନ୍ଦିରରୁ ଦୁଇଟି ଦାନବାକ୍ସ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ରାତିର ଅନ୍ଧାରର ସୁଯୋଗ ନେଇ ମନ୍ଦିରରେ ପଶି ଭକ୍ତଙ୍କ ଦାନ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଦୁଇଟି ଦାନବାକ୍ସରୁ ୩୦ ହଜାର ଟଙ୍କାରୁ ଅଧିକ ରାଶି ଚୋରି ହୋଇଛି। ସକାଳେ ମନ୍ଦିର ଖୋଲିବା ପରେ ଦାନବାକ୍ସ ଗାୟବ ଥିବା ଦେଖି ସେବାୟତ ଓ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜରପଡ଼ା ପୁଲିସକୁ ସୂଚନା ଦେଇଥିଲେ। ଏହି ଚୋରିର ସବୁଠାରୁ ବଡ଼ ସୁରାକ ହେଉଛି ମନ୍ଦିରରେ ଲାଗିଥିବା CCTV କ୍ୟାମେରା। ଚୋରିର ସମ୍ପୂର୍ଣ୍ଣ ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିବା ବେଳେ, ପୁଲିସ ଫୁଟେଜ୍ ସଂଗ୍ରହ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ଲାଗିଛି।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ଦେଖାଦେଇଛି। ମନ୍ଦିର ପରି ପବିତ୍ର ସ୍ଥାନରେ ବାରମ୍ବାର ଚୋରି ଘଟଣାକୁ ନେଇ ଲୋକେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ମନ୍ଦିରରେ ସୁରକ୍ଷା ବଢ଼ାଇବା ସହ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ପୁଲିସ ମାମଲା ରୁଜୁ କରି CCTV ଫୁଟେଜ୍ ଆଧାରରେ ତଦନ୍ତ ଜାରି ରଖିଛି। ଖୁବ୍ଶୀଘ୍ର ଚୋରଙ୍କୁ ଧରାଯିବ ବୋଲି ପୁଲିସ ଆଶା ପ୍ରକାଶ କରିଛି।














Leave a Reply