କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତିଭିତ୍ତିକ ଜନଗଣନା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ଭାରତରେ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଜନଗଣନାରେ ଜାତିଭିତ୍ତିକ ଜନଗଣନା ଅନ୍ତର୍ଭୁକ୍ତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତିକୁ ଅନୁମୋଦନ ମିଳିଛି। ୨୦୨୫ରୁ ୨୦୨୬ ମଧ୍ୟରେ ଆରମ୍ଭ ହେବାକୁ ଥିବା ଜନଗଣନାରେ ଜାତି ଆଧାରିତ ତଥ୍ୟ ସଂଗ୍ରହ କରାଯିବ ବୋଲି କେନ୍ଦ୍ରୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି।

ଏହି ଜାତିଭିତ୍ତିକ ଜନଗଣନା ଦେଶରେ ସାମାଜିକ ନ୍ୟାୟ ଓ ସମାନତା ପାଇଁ ନୀତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଜାତିଭିତ୍ତିକ ଜନଗଣନା ଦୀର୍ଘ ଦିନର ଏକ ଦାବି ରହି ଆସିଛି, ଯାହା ସାମାଜିକ ଓ ଅର୍ଥନୈତିକ ପଛୁଆବର୍ଗଙ୍କ ପାଇଁ ନୀତି ପ୍ରଣୟନରେ ସହାୟକ ହେବ ବୋଲି ବିଶ୍ୱାସ କରାଯାଉଛି। ଏହା ଦ୍ୱାରା ସରକାରୀ ଯୋଜନା ଓ ସୁବିଧାଗୁଡ଼ିକ ଅଧିକ ଯଥାର୍ଥ ଓ ଲକ୍ଷ୍ୟଭିତ୍ତିକ ଭାବେ ପହଞ୍ଚାଯାଇ ପାରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ପୂର୍ବରୁ ଏହାର ବିରୋଧ କରୁଥିଲା, କିନ୍ତୁ ମୋଦୀ ସରକାର ଏହି ପଦକ୍ଷେପ ନେଇ ଦେଶବାସୀଙ୍କୁ ଏକ ନୂଆ ଦିଗ ଦେବାକୁ ପ୍ରତିବଦ୍ଧ କରିଛନ୍ତି। ଏହାର କାର୍ଯ୍ୟକାରୀତା ଓ ତଥ୍ୟ ସଂଗ୍ରହ ପ୍ରକ୍ରିୟାକୁ ନେଇ ମଧ୍ୟ ଆଲୋଚନା ଜାରି ରହିଛି। ସରକାର ଏହି ଜନଗଣନାକୁ ସଫଳ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ଏହି ପଦକ୍ଷେପ ଦେଶରେ ସାମାଜିକ ଗତିଶୀଳତା ଓ ନ୍ୟାୟ ବଣ୍ଟନକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

୧୯୩୧ ମସିହାରେ ଆରମ୍ଭ ହୋଇଥିବା ଏହି ଜାତିଭିତ୍ତିକ ଜନଗଣନା ଏବେ ପୁଣି ସକ୍ରିୟ ରୂପ ଧାରଣ କରିବାକୁଯାଉଛି। ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ ମଧ୍ୟ କରାଯାଇଛି। ତେବେ ଏହି ଜାତିଭିତ୍ତିକ ଜନଗଣନା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ସମତା, ସମରସତା, ସୁଶାସନ ଏବଂ ସାମାଜିକ ନ୍ୟାୟ ନିମନ୍ତେ ଏକ ନବ ଯୁଗ ଆରମ୍ଭ ହୋଇଛି। ଜାତିଭିତ୍ତିକ ଜନଗଣନା ନିଷ୍ପତି ଏକ ଐତିହାସିକ ନିର୍ଣ୍ଣୟ। ଏହି ପଦକ୍ଷେପ ସମାଜର ସମସ୍ତ ବର୍ଗକୁ ବିଶେଷ କରି ଧାଡ଼ିର ସବା ଶେଷରେ ଥିବା ବର୍ଗକୁ ବି ଉପଯୁକ୍ତ ଅଧିକାର ମିଳିବ। ଶୈକ୍ଷିକ ଏବଂ ଆର୍ଥିକ ଅସମନତାକୁ ଦୂର କରିବା ତଥା ରାଷ୍ଟ୍ର ଗଠନ ଓ ସନ୍ତୁଳିତ ସମାଜ ଗଠନରେ ଏହା ସହାୟକ ହେବ। କ୍ୟାବିନେଟ ନିଷ୍ପତିରେ ଏକ ଯୁଗାନ୍ତକାରୀ ଓ ସକାରାତ୍ମକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)