ଅକ୍ଷର ବ୍ୟୁରୋ: ଲଗାତାର ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ ସୃଷ୍ଟି କରିଥିବାବେଳେ, ବିଦ୍ୟୁତ ଭିତ୍ତିଭୂମି ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।
ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଅନକାଡେଲି DAV ସ୍କୁଲ ନିକଟ ରାସ୍ତା। ସେଠାରେ ଏକ ବିଶାଳ ଗଛ ରାସ୍ତା ଉପରେ ଭାଙ୍ଗି ପଡ଼ିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଫଳରେ ଯାତ୍ରୀ ଓ ସ୍ଥାନୀୟ ଲୋକମାନେ ଯାତାୟାତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ରାସ୍ତା ନୁହେଁ, ବ୍ଲକର ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ବଙ୍କା ହୋଇଯିବାରୁ ବିଦ୍ୟୁତ ଯୋଗାଣ ମଧ୍ୟ ବ୍ୟାହତ ହୋଇଛି। ଲଗାତାର ବର୍ଷା ଓ ପବନ ଯୋଗୁଁ ବିଦ୍ୟୁତ ବିତରଣ ବ୍ୟବସ୍ଥା ପ୍ରଭାବିତ ହୋଇଥିବାରୁ ଅନେକ ଅଞ୍ଚଳ ଅନ୍ଧାରରେ ରହିଛି।
ଏପଟେ ରାସ୍ତା ଉପରେ ପଡ଼ିଥିବା ଗଛକୁ ହଟାଇ ସ୍ୱାଭାବିକ ଯାତାୟାତ ଫେରାଇ ଆଣିବା ପାଇଁ ସ୍ଥାନୀୟ ଲୋକମାନେ ସ୍ୱତଃପ୍ରବୃତ୍ତ ଭାବେ ଗଛ କାଟି ରାସ୍ତା ସଫା କରିବାରେ ଲାଗିପଡ଼ିଛନ୍ତି।ପ୍ରଶାସନ ପକ୍ଷରୁ ମଧ୍ୟ କ୍ଷୟକ୍ଷତିର ଆକଳନ ସହ ପରିସ୍ଥିତି ସ୍ୱାଭାବିକ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ଦିନ ବର୍ଷା ଜାରି ରହିବାର ସମ୍ଭାବନା ଥିବାରୁ, ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି।














Leave a Reply