ଅକ୍ଷର ବ୍ୟୁରୋ: ଉତ୍ତର ଓଡ଼ିଶା ଉପକୂଳରେ ପୁଣି ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଉପରି ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୪ ଘଣ୍ଟାରେ ଆହୁରି ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିଥିବାବେଳେ ଅଗଷ୍ଟ ୧୬ରୁ ୧୮ ଯାଏଁ ବର୍ଷା ସହ ଝଡ଼ ପବନ ନେଇ ସତର୍କ କରାଯାଇଛି ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ୧୬ରୁ ୧୮ ଅଗଷ୍ଟ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଝଟକା ପବନର ବେଗ ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ଏହାର ପ୍ରଭାବରେ ପଶ୍ଚିମବଙ୍ଗ, ବାଂଲାଦେଶ, ଓଡ଼ିଶା ଏବଂ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶର ଉପକୂଳ ଓ ନିକଟବର୍ତ୍ତୀ ସମୁଦ୍ର ଅଞ୍ଚଳରେ ପାଗ ଅଶାନ୍ତ ରହିବ । ସମୁଦ୍ର ମଧ୍ୟ ରଫ୍ରୁ ଭେରି ରଫ୍ ରହିବାର ଆଶଙ୍କା ରହିଛି । ଏହି ସମୟରେ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରକୁ ମାଛଧରାଳିଙ୍କୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ସତର୍କ ରହିବାକୁ କୁହାଯାଇଛି ।
ଲଘୁଚାପ ପ୍ରଭାବରେ ଟ୍ୱିନ୍ ସିଟି କଟକ-ଭୁବନେଶ୍ୱର ସମେତ ଭଦ୍ରକ, ବାଲେଶ୍ୱର, ଯାଜପୁର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିଛି । ଆଜି ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରକୁ ପ୍ରବଳ ବର୍ଷା ପାଇଁ ଅରେଞ୍ଜ୍ ଆଲର୍ଟ ଜାରି ହୋଇଛି । ଅନ୍ୟ ସମସ୍ତ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ରହିଛି । ବିଶେଷକରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ ହୋଇଛି । ଆସନ୍ତାକାଲି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଭୀଷଣ ବର୍ଷା ସମ୍ଭାବନା ଥିବାରୁ ରେଡ୍ ଆଲର୍ଟ ଜାରି ହୋଇଛି । ସେହିପରି କେନ୍ଦୁଝର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ଲଘୁଚାପ ସହ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବର୍ଷାର ପ୍ରଭାବ ଆହୁରି ବଢ଼ିବା ଆଶଙ୍କା ରହିଛି । ତେଣୁ ଆଗାମୀ ୧୬ରୁ ୧୮ ଅଗଷ୍ଟ ପର୍ଯ୍ୟନ୍ତ ଉପକୂଳ ଓ ଉତ୍ତର ଓଡ଼ିଶାର ପାଣିପାଗ ଉପରେ ରହିବ ବିଶେଷ ନଜର ।














Leave a Reply