କଟକ: ଓଡ଼ିଶାରେ ପୁଣି ବଢ଼ୁଛି ବନ୍ୟା ଆଶଙ୍କା। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ଦ୍ରୁତ ବଢ଼ୁଥିବା ବେଳେ ଆଜି ମୁଣ୍ଡଳୀରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହୋଇପାରେ। ଜଳସମ୍ପଦ ବିଭାଗର ଆକଳନ ଅନୁସାରେ, ସକାଳ ପ୍ରାୟ ୧୦ଟା ସୁଦ୍ଧା ମୁଣ୍ଡଳୀରେ ଜଳପ୍ରବାହ ୮ ଲକ୍ଷ କ୍ୟୁସେକ୍ ଛୁଇଁପାରେ। ଏହାକୁ ନେଇ କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରର ନଦୀକୂଳିଆ ଏବଂ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିଛି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତଙ୍କ ସୂଚନା ଅନୁସାରେ, ଗତକାଲି ରାତି ସୁଦ୍ଧା ମୁଣ୍ଡଳୀରେ ପ୍ରାୟ ୭ ଲକ୍ଷ କ୍ୟୁସେକ୍ ଜଳ ପହଞ୍ଚିବାର ଆକଳନ ଥିଲା। ଆଜି ସକାଳ ସୁଦ୍ଧା ଏହା ଆହୁରି ବଢ଼ି ୮ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି।
ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ନଦୀରେ ଜଳପ୍ରବାହ ବଢ଼ିଛି। ଛତିଶଗଡ଼ର ଗାଙ୍ଗରେଲ ଡ୍ୟାମ୍ର ୧୪ଟି ଗେଟ୍ ଖୋଲାଯାଇଥିବା ବେଳେ ହୀରାକୁଦ ଜଳଭଣ୍ଡାରରୁ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦର ଜଳସ୍ତର ପ୍ରାୟ ୬୨୮ରୁ ୬୨୯ ଫୁଟ୍ ମଧ୍ୟରେ ରହିଛି। ହୀରାକୁଦରୁ ଛଡ଼ାଯାଉଥିବା ପାଣି ତଳମୁଣ୍ଡକୁ ଆସୁଥିବାରୁ ମୁଣ୍ଡଳୀରେ ଜଳପ୍ରବାହ ଆହୁରି ବଢ଼ିବା ଆଶଙ୍କା ରହିଛି।
ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ୍ ଜଳପ୍ରବାହକୁ ତଳମୁଣ୍ଡରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ଭାବେ ବିଚାର କରାଯାଉଛି। ମହାନଦୀର ଜଳ ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇ, ଦେବୀ, କନ୍ଦଳା, କୁଶଭଦ୍ରା, ଦୟା ଓ ଭାର୍ଗବୀ ଭଳି ଶାଖା ନଦୀ ଓ ଉପନଦୀରେ ପ୍ରବେଶ କରିବ। ଫଳରେ ନଦୀକୂଳିଆ ତଳିଆ ଗାଁ ଏବଂ ଚାଷଜମିରେ ପାଣି ପଶିବାର ଆଶଙ୍କା ରହିଛି। ମୁଣ୍ଡଳୀର ଉପରମୁଣ୍ଡରେ ବିପଦ ସଙ୍କେତ ୯୭.୨୫ ଫୁଟ୍, ତଳମୁଣ୍ଡରେ ୯୫.୦୫ ଫୁଟ୍ ରହିଛି। ପରିସ୍ଥିତିକୁ ନଜରରେ ରଖି ମୁଣ୍ଡଳୀରେ ଜଳ ପରିଚାଳନା କରାଯାଉଛି। ମହାନଦୀର ବଢ଼ୁଥିବା ଜଳପ୍ରବାହକୁ ନେଇ କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ନଦୀକୂଳିଆ ଏବଂ ଡେଲ୍ଟା ଅଞ୍ଚଳ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ନଦୀକୁ ନଯିବା, ଦୁର୍ବଳ ନଦୀବନ୍ଧଠାରୁ ଦୂରେଇ ରହିବା ଏବଂ ଆବଶ୍ୟକ ପଡ଼ିଲେ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ସ୍ଥାନାନ୍ତର ହେବାକୁ ପରାମର୍ଶ ଦିଆଯାଇଛି।
କେବଳ ମହାନଦୀ ନୁହେଁ, ଉତ୍ତର ଓଡ଼ିଶାର ବନ୍ୟା ସ୍ଥିତି ଉପରେ ମଧ୍ୟ ପ୍ରଶାସନ ନଜର ରଖିଛି। ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ ବୈତରଣୀ, ସାଳନ୍ଦୀ ଓ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ନିକଟରେ କିମ୍ବା ତା’ଠାରୁ ଉପରେ ପ୍ରବାହିତ ହେଉଛି। ପୂର୍ବରୁ ମୁତୟନ ଥିବା ଉଦ୍ଧାରକାରୀ ଦଳ ଓ ରିଲିଫ୍ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି। ଆଜି ମୁଣ୍ଡଳୀରେ ବାସ୍ତବରେ କେତେ ଜଳ ପ୍ରବାହିତ ହେଉଛି, ତା’ଉପରେ ଦିନତମାମ ନଜର ରହିବ। ହୀରାକୁଦରୁ ଜଳ ନିଷ୍କାସନର ପରିମାଣ ଏବଂ ମହାନଦୀର ଉପରମୁଣ୍ଡରେ ବର୍ଷାର ପରିମାଣ ଆଗାମୀ ବନ୍ୟା ସ୍ଥିତି ନିର୍ଣ୍ଣୟରେ ପ୍ରମୁଖ ଭୂମିକା ନେବ।














Leave a Reply