ଜଗତସିଂହପୁର: ମହାନଦୀରେ ବନ୍ୟାଜଳ ଆସିବା ପରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ତିର୍ତ୍ତୋଲ ଅଞ୍ଚଳର କୋଟକଣା ମୁଣ୍ଡାସାହି, ତିର୍ତ୍ତୋଲ ଆଦିବାସୀ ସାହି, ମଣିଜଙ୍ଗା ବେହେରା ସାହି ସମେତ କୋଲର ଓ ରାହାମା ଅଞ୍ଚଳର ହରିପୁର ଆଦି ଅଞ୍ଚଳ ଏବେ ବନ୍ୟାପାଣି ଘେରରେ। ବିଭିନ୍ନ ଗାଁର ରାସ୍ତା ଉପରେ ପ୍ରାୟ ୨ ଫୁଟ୍ ପାଣି ଚାଲୁଥିବାରୁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ବନ୍ୟାଜଳ ଅଧିକ ଅଞ୍ଚଳକୁ ପ୍ରବେଶ କରିବାର ଆଶଙ୍କା ଥିବାରୁ ପ୍ରଶାସନ ଓ ସ୍ଥାନୀୟ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି।
କମୁଛି ବୈତରଣୀ-ସାଳନ୍ଦୀ, ହେଲେ ଜାରି ରହିଛି ଦୁର୍ଦ୍ଦଶା
ଏପଟେ ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟାଜଳ କମିବା ଆରମ୍ଭ ହୋଇଥିଲେ ମଧ୍ୟ ତଳିଆ ଅଞ୍ଚଳର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା କମିନାହିଁ। ସାଳନ୍ଦୀ ବନ୍ୟା ଯୋଗୁଁ ଭଦ୍ରକ ବ୍ଲକର ଦେଉଳି ପାଳ ଓ ବୋଇତାଳୁ ମାହାରା ଗାଁର ଲୋକମାନେ ଏବେ ବି ଅସୁବିଧାରେ ରହିଛନ୍ତି। ଅନେକ ଲୋକଙ୍କ ଘର ଆଗରେ ଏବେ ବି ବନ୍ୟାପାଣି ଚାଲୁଥିବା ବେଳେ ଭୋକ ଉପାସରେ ଦିନ କାଟୁଥିବା ଅଭିଯୋଗ ହୋଇଛି। ଗାଁକୁ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବନ୍ୟାପୀଡ଼ିତ ଲୋକେ ତୁରନ୍ତ ସହାୟତା ଓ ରିଲିଫ୍ ଦାବି କରୁଛନ୍ତି।
ହୀରାକୁଦର ୨୮ ଗେଟ୍ରେ ଜଳ ନିଷ୍କାସନ
ଅନ୍ୟପଟେ ହୀରାକୁଦର ୨୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ତେବେ ଗତକାଲି ତୁଳନାରେ ଆଜି ମହାନଦୀରେ ବନ୍ୟାଜଳ କମୁଥିବା ବେଳେ ଉପରମୁଣ୍ଡରୁ ଆସୁଥିବା ପାଣି ଯୋଗୁଁ ମୁଣ୍ଡଳୀରେ ମଧ୍ୟ ଜଳପ୍ରବାହ କ୍ରମଶଃ ହ୍ରାସ ପାଉଛି। କଟକ ମୁଣ୍ଡଳୀ ବ୍ରିଜ୍ ଦେଇ ପ୍ରତି ସେକେଣ୍ଡରେ ୭ ଲକ୍ଷ ୫୪ ହଜାର ୩୮୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।
ସେହିପରି ନରାଜ ବ୍ୟାରେଜ୍ ଦେଇ କାଠଯୋଡ଼ି ନଦୀକୁ ୩ ଲକ୍ଷ ୮୯ ହଜାର ୩୬୨ କ୍ୟୁସେକ୍ ଜଳ ଛଡ଼ାଯାଉଥିବା ବେଳେ ଅବଶିଷ୍ଟ ଜଳ ମହାନଦୀରେ ପ୍ରବାହିତ ହେଉଛି।
ମୁଣ୍ଡଳୀଠାରେ ଅପ୍ଷ୍ଟ୍ରିମ୍ ଜଳସ୍ତର ୯୨.୦୦ ଫୁଟ୍ ଓ ଡାଉନ୍ଷ୍ଟ୍ରିମ୍ ଜଳସ୍ତର ୮୯.୫୦ ଫୁଟ୍ ରହିଛି। ନରାଜଠାରେ ଅପ୍ଷ୍ଟ୍ରିମ୍ ଜଳସ୍ତର ୨୫.୯୦ ମିଟର ଓ ଡାଉନ୍ଷ୍ଟ୍ରିମ୍ ଜଳସ୍ତର ୨୩.୧୦ ମିଟର ରହିଛି। ଉଭୟ ମୁଣ୍ଡଳୀ ଓ ନରାଜଠାରେ ବର୍ତ୍ତମାନ ଜଳପ୍ରବାହ ବିପଦ ସଙ୍କେତ ତଳେ ରହିଛି।
ଶାଖା ଓ ଉପନଦୀ ଉପରେ ନଜର
ମହାନଦୀରେ ଆସୁଥିବା ବନ୍ୟାଜଳର ପ୍ରଭାବ ଏହାର ଶାଖା ଓ ଉପନଦୀଗୁଡ଼ିକରେ ମଧ୍ୟ ପଡ଼ିବାର ଆଶଙ୍କା ରହିଛି। ଲୁଣା, କରାଣ୍ଡିଆ, ରତ୍ନଚିରା, ଦେବୀ, କନ୍ଦଳ, ଦୟା, ଭାର୍ଗବୀ, କାଠଯୋଡ଼ି ଓ କୁଆଖାଇ ଭଳି ନଦୀରେ ଜଳସ୍ତର ବଢ଼ିଲେ ତଳିଆ ଅଞ୍ଚଳରେ ପାଣି ପଶିପାରେ। ବିଶେଷ କରି କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାର କେତେକ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ପୁରୀ ଜିଲ୍ଲାର କଣାସ, ସତ୍ୟବାଦୀ, ନିମାପଡ଼ା ଓ ଗୋପ ଅଞ୍ଚଳ ଉପରେ ବିଶେଷ ନଜର ରହିଛି। ସେହିପରି କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳର କେତେକ ସ୍ଥାନରେ ବନ୍ୟାପାଣି ପଶିବା ଆରମ୍ଭ ହୋଇଥିବା ସୂଚନା ମିଳିଛି।














Leave a Reply