ଅକ୍ଷର ବ୍ୟୁରୋ: ଢେଙ୍କାନାଳରେ ବେଆଇନ ଲଘୁ ଖଣିଜ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ କାର୍ଯ୍ୟାନୁଷ୍ଠାନ। ଶହ ଶହ କୋଟି ଟଙ୍କାର ଖଣି ମାମଲାର ମୁଖ୍ୟ ଅଭିଯୁକ୍ତ ରତିକାନ୍ତ ରାଉତଙ୍କୁ ଗିରଫ କରିଛି ଇଡି। ପୂର୍ବରୁ ଏହି ମାମଲାରେ ଢେଙ୍କାନାଳ ପୁଲିସ ମଧ୍ୟ ରତିକାନ୍ତଙ୍କୁ ଗିରଫ କରିଥିଲା।
ସୂଚନା ଅନୁସାରେ, ଗୁରୁବାର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ରତିକାନ୍ତ ରାଉତଙ୍କୁ ନୋଟିସ କରାଯାଇଥିଲା। ଗତକାଲି ଦିନ ପ୍ରାୟ ସାଢ଼େ ୧୨ଟାରେ ସେ ଇଡି କାର୍ଯ୍ୟାଳୟରେ ପହଞ୍ଚି ହାଜର ହୋଇଥିଲେ। ଏହାପରେ ବେଆଇନ ଲଘୁ ଖଣିଜ ଉତ୍ତୋଳନ, ଚାଲାଣ ଓ ଆର୍ଥିକ କାରବାର ସମେତ ବିଭିନ୍ନ ଦିଗକୁ ନେଇ ଇଡି ଅଧିକାରୀମାନେ ତାଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲେ।
ଜେରା ବେଳେ ଅଧିକାରୀଙ୍କୁ ଭୁଲ ତଥ୍ୟ ଦେଇ ଭୁଆଁ ବୁଲାଇବାକୁ ରତିକାନ୍ତ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ପଚରାଉଚରା ଓ ଜେରା ପରେ ଶେଷରେ ଇଡି ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ପରେ ରତିକାନ୍ତ ରାଉତଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ବେଆଇନ ଭାବେ ଲଘୁ ଖଣିଜ ଉତ୍ତୋଳନ ଓ ଚାଲାଣ କରି କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ରତିକାନ୍ତ ରାଉତଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଶହ ଶହ କୋଟି ଟଙ୍କାର ଏହି ବେଆଇନ ଖଣି କାରବାର ମାମଲାରେ ରତିକାନ୍ତଙ୍କ ଗିରଫ ପରେ ତଦନ୍ତ ଆହୁରି ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଛି।














Leave a Reply