ଅକ୍ଷର ବ୍ୟୁରୋ: ଓଡ଼ିଶାରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂତନ ବିଜ୍ଞପ୍ତି ଜାରି କରାଯାଇଛି। ଓଡ଼ିଶା ଶିକ୍ଷା ଆଇନ-୧୯୬୯, ଘରୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ, ସ୍ୱୀକୃତି ଓ ପରିଚାଳନା ନିୟମାବଳୀ-୧୯୯୧ ଏବଂ ଶିକ୍ଷାର ଅଧିକାର (RTE) ଆଇନ-୨୦୦୯କୁ ଆଧାର କରି ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି।
ନୂତନ ବ୍ୟବସ୍ଥା ଅନୁଯାୟୀ, ରାଜ୍ୟରେ କୌଣସି ଘରୋଇ ପ୍ରାଥମିକ କିମ୍ବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ କରିବା ପୂର୍ବରୁ ସରକାରଙ୍କଠାରୁ ‘ଓପେନିଂ ପରମିସନ’ ଏବଂ ‘ସାର୍ଟିଫିକେଟ୍ ଅଫ୍ ରେକଗ୍ନିସନ୍ (CoR)’ ହାସଲ କରିବା ବାଧ୍ୟତାମୂଳକ ରହିବ। ଏହି ନିୟମ ଓଡ଼ିଆ, ଇଂରାଜୀ କିମ୍ବା ଅନ୍ୟ ଯେକୌଣସି ମାଧ୍ୟମରେ ପାଠପଢ଼ା କରାଉଥିବା ସମସ୍ତ ଘରୋଇ ବିଦ୍ୟାଳୟ ପାଇଁ ସମାନ ଭାବେ ପ୍ରଯୁଜ୍ୟ ହେବ।
ନୂତନ ନିୟମର ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି, ବିଦ୍ୟାଳୟ ସ୍ଥାପନ ପାଇଁ ପୂର୍ବରୁ ଆବଶ୍ୟକ ଥିବା ‘ଏସେନ୍ସିଆଲିଟି ସାର୍ଟିଫିକେଟ୍’ (Essentiality Certificate) ଦାଖଲ କରିବା ବାଧ୍ୟତାମୂଳକ ରହିବ ନାହିଁ। ଏହା ଫଳରେ ନୂଆ ବିଦ୍ୟାଳୟ ସ୍ଥାପନ ପ୍ରକ୍ରିୟାରେ ଥିବା ଏକ ବଡ଼ ପ୍ରଶାସନିକ ବାଧା ଦୂର ହେବ ବୋଲି ଆଶା କରାଯାଉଛି।
ସରକାର ପ୍ରକ୍ରିୟାକୁ ସରଳ କରିଥିଲେ ମଧ୍ୟ ଗୁଣାତ୍ମକ ଶିକ୍ଷା ଓ ଭିତ୍ତିଭୂମି ସମ୍ପର୍କିତ ମାନଦଣ୍ଡରେ କୌଣସି କୋହଳ କରାଯାଇନାହିଁ। ବିଦ୍ୟାଳୟ ସ୍ଥାପନ କରୁଥିବା ସଂସ୍ଥା ସୋସାଇଟିଜ୍ ରେଜିଷ୍ଟ୍ରେସନ୍ ଆକ୍ଟ କିମ୍ବା ଇଣ୍ଡିଆନ୍ ଟ୍ରଷ୍ଟ ଆକ୍ଟ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଆବଶ୍ୟକ।
ଏହାସହ ବିଦ୍ୟାଳୟରେ—
- ପର୍ଯ୍ୟାପ୍ତ ଜମି ଓ ସୁରକ୍ଷିତ ପରିବେଶ,
- ପର୍ଯ୍ୟାପ୍ତ ଶ୍ରେଣୀଗୃହ,
- ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ଶୌଚାଳୟ,
- ବିଶୁଦ୍ଧ ପାନୀୟ ଜଳ,
- ଖେଳ ପଡ଼ିଆ,
- ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ,
- ଯୋଗ୍ୟ ଓ ପ୍ରଶିକ୍ଷିତ ଶିକ୍ଷକ ଏବଂ କର୍ମଚାରୀ
ଉପଲବ୍ଧ ରହିବା ସହ RTE ଆଇନର ସମସ୍ତ ମାନଦଣ୍ଡ ପାଳନ କରିବାକୁ ହେବ।
ନୂଆ ବିଦ୍ୟାଳୟ ସ୍ଥାପନ ପାଇଁ ଆବେଦନ ପ୍ରଥମେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟକୁ ସୁପାରିସ ହେବ। ତାଙ୍କ ଅନୁମୋଦନ ପରେ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଓପେନିଂ ପରମିସନ ଜାରି କରିବେ। ନୂତନ ବ୍ୟବସ୍ଥାରେ ବିଦ୍ୟାଳୟଗୁଡ଼ିକର ନିୟମିତ ଯାଞ୍ଚ ଓ ତଦାରଖର ଦାୟିତ୍ୱ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଓ ବ୍ଲକ ଶିକ୍ଷା ଅଧିକାରୀ (BEO)ଙ୍କୁ ଦିଆଯାଇଛି। ନିୟମ ଉଲ୍ଲଂଘନ କଲେ ପ୍ରଚଳିତ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବିଭାଗ ସ୍ପଷ୍ଟ କରିଛି ଯେ, ଏହି ବିଜ୍ଞପ୍ତି ସହ ଅସଙ୍ଗତି ଥିବା ପୂର୍ବରୁ ଜାରି ସମସ୍ତ ନିର୍ଦ୍ଦେଶ ଓ ପ୍ରସ୍ତାବ ବାତିଲ କରାଯାଇଛି। ଆବଶ୍ୟକତା ଅନୁଯାୟୀ ଭବିଷ୍ୟତରେ ଅତିରିକ୍ତ ମାର୍ଗଦର୍ଶିକା ଓ ସ୍ପଷ୍ଟୀକରଣ ମଧ୍ୟ ଜାରି କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
















Leave a Reply