ଅକ୍ଷର ବ୍ୟୁରୋ: ରାଜ୍ୟରେ ଉଚ୍ଚଶିକ୍ଷାର ପ୍ରସାର ଏବଂ ନୂଆ ଶିକ୍ଷାନୁଷ୍ଠାନ ସ୍ଥାପନକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେଲ୍ଫ-ଫାଇନାନ୍ସିଂ ଓ ପ୍ରଫେସନାଲ୍ କଲେଜ ପ୍ରତିଷ୍ଠା ସମ୍ପର୍କିତ ନିୟମକୁ ସରଳ ଓ କୋହଳ କରାଯାଇଛି। ଭିତ୍ତିଭୂମି, ଅଧ୍ୟାପକ ନିଯୁକ୍ତି ଏବଂ ପ୍ଲେଜ୍ ମନି (ବନ୍ଧକ ଅର୍ଥରାଶି) ନେଇ ଥିବା ବିଭିନ୍ନ ସର୍ତ୍ତରେ ପରିବର୍ତ୍ତନ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ଅଧିକ ସଂଖ୍ୟକ ବେସରକାରୀ ଉଚ୍ଚଶିକ୍ଷାନୁଷ୍ଠାନ ପ୍ରତିଷ୍ଠାର ବାଟ ସୁଗମ ହେବ ବୋଲି ଆଶା କରାଯାଉଛି।
ନୂତନ ବ୍ୟବସ୍ଥା ଅନୁଯାୟୀ, ଏଣିକି ସେଲ୍ଫ-ଫାଇନାନ୍ସିଂ ଓ ପ୍ରଫେସନାଲ୍ କଲେଜ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବନିମ୍ନ ଭିତ୍ତିଭୂମି କିମ୍ବା ଅଧ୍ୟାପକ ସଂଖ୍ୟା ସମ୍ପର୍କିତ ଅଲଗା ସର୍ତ୍ତ ଲାଗୁ ହେବ ନାହିଁ। ତେବେ ଏହାର ଅର୍ଥ ଏନୁହେଁ ଯେ ମାନଦଣ୍ଡ କମିଯିବ। ବରଂ ପ୍ରତ୍ୟେକ ଶିକ୍ଷାନୁଷ୍ଠାନକୁ UGC, AICTE, NMC ଏବଂ INC ପରି କେନ୍ଦ୍ରୀୟ ନିୟାମକ ସଂସ୍ଥାମାନଙ୍କ ନିର୍ଦ୍ଧାରିତ ସମସ୍ତ ମାନଦଣ୍ଡ ଓ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ।
ରାଜ୍ୟ ସରକାର ପ୍ଲେଜ୍ ମନି (ବନ୍ଧକ ଅର୍ଥରାଶି) ସମ୍ପର୍କିତ ନିୟମକୁ ମଧ୍ୟ ବଡ଼ ଧରଣର କୋହଳ କରିଛନ୍ତି। ନୂଆ ନିୟମ ଅନୁସାରେ, ସେଲ୍ଫ-ଫାଇନାନ୍ସିଂ ଓ ପ୍ରଫେସନାଲ୍ କଲେଜ ପାଇଁ ବନ୍ଧକ ରାଶି ୫ ଲକ୍ଷ ଟଙ୍କା ଏବଂ ବେସରକାରୀ ଅନୁଦାନପ୍ରାପ୍ତ କିମ୍ବା ବ୍ଲକ୍ ଗ୍ରାଣ୍ଟ କଲେଜ ପାଇଁ ମାତ୍ର ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାଦ୍ୱାରା ନୂଆ ଶିକ୍ଷାନୁଷ୍ଠାନ ଖୋଲିବାକୁ ଇଚ୍ଛୁକ ସଂସ୍ଥାମାନଙ୍କ ଉପରେ ଆର୍ଥିକ ଚାପ କମିବ।
ଏହି ନୂଆ ବ୍ୟବସ୍ଥା ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ସହ ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ରାଜ୍ୟ ସରକାରଙ୍କ କହିବାନୁସାରେ, ଉଚ୍ଚଶିକ୍ଷାର ପ୍ରସାର, Ease of Doing Business କୁ ପ୍ରୋତ୍ସାହନ ଏବଂ ରାଜ୍ୟରେ ଅଧିକ ସଂଖ୍ୟକ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ସ୍ଥାପନ ଉଦ୍ଦେଶ୍ୟରେ ଏହି ନିୟମକୁ କୋହଳ କରାଯାଇଛି। ଶିକ୍ଷା କ୍ଷେତ୍ରରେ ଏହି ପଦକ୍ଷେପକୁ ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପରିବର୍ତ୍ତନ ଭାବେ ଦେଖାଯାଉଛି।















Leave a Reply