ଅକ୍ଷର ବ୍ୟୁରୋ: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ବଡ଼ ପଦକ୍ଷେପ ନେଇଛି। ଦୀର୍ଘଦିନର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି। ମାମଲାର ବିଭିନ୍ନ ଦିଗରୁ ପ୍ରମାଣ ସଂଗ୍ରହ କରି ତଦନ୍ତକୁ ସୁଦୃଢ଼ କରିବା ପରେ କ୍ରାଇମବ୍ରାଞ୍ଚ ଏହି ଆଇନଗତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛି। ଏହି ବହୁଚର୍ଚ୍ଚିତ ମାମଲାରେ ପୂର୍ବରୁ ମୋଟ ୨୦ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ତଦନ୍ତ ସମୟରେ କେବଳ ୧୧ ଜଣଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିଥିବାରୁ ସେମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଅନ୍ୟପକ୍ଷରେ ଅବଶିଷ୍ଟ ୯ ଜଣଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହୋଇନଥିବାରୁ କ୍ରାଇମବ୍ରାଞ୍ଚ ସେମାନଙ୍କୁ କ୍ଲିନ୍ଚିଟ୍ ଦେଇଛି।
ସୂଚନାଯୋଗ୍ୟ, ପ୍ରାଥମିକ ତଦନ୍ତ ସମୟରେ ସ୍ଥାନୀୟ ଥାନାରେ ଏହି ୯ ଜଣଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା। କିନ୍ତୁ କ୍ରାଇମବ୍ରାଞ୍ଚର ବିସ୍ତୃତ ତଦନ୍ତରେ ସେମାନଙ୍କ ବିରୋଧରେ କୌଣସି ଦୃଢ଼ ପ୍ରମାଣ ମିଳିନଥିବାରୁ କୋର୍ଟରେ ସେମାନଙ୍କୁ ଦୋଷମୁକ୍ତ ବୋଲି ଦର୍ଶାଯାଇଛି। ସୌମ୍ୟ ହତ୍ୟାକାଣ୍ଡ ପରେ ଅଞ୍ଚଳରେ ଜନଅସନ୍ତୋଷ ଦେଖାଦେବା ସହ ପ୍ରାଥମିକ ପୋଲିସ ତଦନ୍ତକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା। ଏହାପରେ ରାଜ୍ୟ ସରକାର ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ଦୀର୍ଘ ତଦନ୍ତ ପରେ ଦାଖଲ ହୋଇଥିବା ଏହି ୭୬୭ ପୃଷ୍ଠାର ଚାର୍ଜସିଟ୍ ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ବୋଲି ଧରାଯାଉଛି।ଏବେ କୋର୍ଟରେ ଚାର୍ଜସିଟ୍ ଗ୍ରହଣ ପରେ ମାମଲାର ପରବର୍ତ୍ତୀ ବିଚାର ପ୍ରକ୍ରିୟା ଆରମ୍ଭ ହେବ। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ କୋର୍ଟଙ୍କ ପରବର୍ତ୍ତୀ ପଦକ୍ଷେପ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ସମଗ୍ର ରାଜ୍ୟର ନଜର ରହିଛି।












Leave a Reply