୫୦ତମ କ୍ୟାବିନେଟ୍‌ ବୈଠକ ପାଇଁ ବଡ଼ ପ୍ରସ୍ତୁତି, ସରକାରଙ୍କ ସଫଳତାର ଡିଜିଟାଲ ବୁକ୍‌ଲେଟ୍‌ ହେବ ପ୍ରସ୍ତୁତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫୦ତମ କ୍ୟାବିନେଟ୍‌ ବୈଠକକୁ ସ୍ୱତନ୍ତ୍ର କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ସେପ୍ଟେମ୍ବର ୭ରେ ରାଜ୍ୟ କ୍ୟାବିନେଟ୍‌ର ୪୭ତମ ବୈଠକ ବସିଥିବା ବେଳେ ଆଉ କିଛି ଦିନ ପରେ ୫୦ତମ କ୍ୟାବିନେଟ୍‌ ବୈଠକ ବସିବ। ଏହି ଅବସରକୁ ସ୍ୱତନ୍ତ୍ର ଭାବେ ପାଳନ କରିବା ସହ ସରକାରଙ୍କ ସଫଳତା ଓ ବିଭିନ୍ନ ବିଭାଗର କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ଡିଜିଟାଲ ବୁକ୍‌ଲେଟ୍‌ ପ୍ରସ୍ତୁତ କରାଯିବ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ସଚିବ ଅନୁ ଗର୍ଗ ସମସ୍ତ ବିଭାଗର ସଚିବଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ବିଭାଗ ନିଜ ନିଜ କ୍ଷେତ୍ରରେ ୨୦୨୪-୨୫, ୨୦୨୫-୨୬ ଓ ୨୦୨୬-୨୭ ଆର୍ଥିକ ବର୍ଷରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ବଡ଼ ପ୍ରକଳ୍ପ, କାର୍ଯ୍ୟରେ ଅଣାଯାଇଥିବା ସଂସ୍କାର ଏବଂ ଏହାଦ୍ୱାରା କେତେ ଲୋକ ଉପକୃତ ହୋଇଛନ୍ତି, ସେ ସମ୍ପର୍କରେ ଅଧ ପୃଷ୍ଠାର ଲେଖା ପ୍ରସ୍ତୁତ କରିବେ।

କେବଳ ଲେଖା ନୁହେଁ, ସେହି ତଥ୍ୟ ଓ କାର୍ଯ୍ୟକୁ ପ୍ରତିଫଳିତ କରୁଥିବା ଭଲ ଫଟୋ ମଧ୍ୟ ଦେବାକୁ ବିଭାଗଗୁଡ଼ିକୁ କୁହାଯାଇଛି। ଏସବୁ ତଥ୍ୟ ଓ ଫଟୋକୁ ନେଇ ଏକ ଡିଜିଟାଲ ବୁକ୍‌ଲେଟ୍‌ ପ୍ରସ୍ତୁତ ହେବ। ପରବର୍ତ୍ତୀ ସମୟରେ ଏହାକୁ ଛପାଯାଇ ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଡିଜିଟାଲ ବୁକ୍‌ଲେଟ୍‌ର ଉନ୍ମୋଚନ କରିବେ। ଏଥିପାଇଁ ବିଭାଗଗୁଡ଼ିକୁ ୭ ଦିନ ମଧ୍ୟରେ ନିଜ ନିଜ ତଥ୍ୟ ଦାଖଲ କରିବାକୁ କୁହାଯାଇଛି। ବିଭାଗଗୁଡ଼ିକର କାର୍ଯ୍ୟ, ନିଷ୍ପତ୍ତି ଓ ସଫଳତାର ସଂକ୍ଷିପ୍ତ ଚିତ୍ର ଯେପରି ବୁକ୍‌ଲେଟ୍‌ରେ ସ୍ଥାନ ପାଇବ, ସେଥିପାଇଁ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି।

ଉଦାହରଣ ସ୍ୱରୂପ, ଜଳସମ୍ପଦ ବିଭାଗକୁ ଗତ ତିନି ଆର୍ଥିକ ବର୍ଷରେ ରାଜ୍ୟ ବଜେଟ୍‌ରେ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକ ସମ୍ପର୍କରେ ତଥ୍ୟ ଦେବାକୁ କୁହାଯାଇଛି। ଏହି ଯୋଜନାଗୁଡ଼ିକର ଉଦ୍ଦେଶ୍ୟ, ଲୋକଙ୍କୁ ମିଳୁଥିବା ଲାଭ, ଜଳସେଚନ କ୍ଷେତ୍ରରେ ପ୍ରଭାବ, ବନ୍ୟା ପରିଚାଳନା, ଜଳ ସୁରକ୍ଷା, ନଦୀ ପୁନରୁଦ୍ଧାର ଏବଂ ଜଳଭିତ୍ତିକ ଭିତ୍ତିଭୂମି ବିକାଶ ନେଇ ସରକାର କରିଥିବା ପଦକ୍ଷେପର ସଂକ୍ଷିପ୍ତ ତାଲିକା ଦେବାକୁ ନିର୍ଦ୍ଦେଶ ରହିଛି। ଏହି ଡିଜିଟାଲ ବୁକ୍‌ଲେଟ୍‌ ମାଧ୍ୟମରେ ସରକାରଙ୍କ ବିଭିନ୍ନ ବିଭାଗର ନିଷ୍ପତ୍ତି, ପ୍ରକଳ୍ପ ଓ ଲୋକାଭିମୁଖୀ କାର୍ଯ୍ୟର ଏକ ସଂକ୍ଷିପ୍ତ ଚିତ୍ର ଲୋକଙ୍କ ସମ୍ମୁଖରେ ରଖାଯିବ। ୫୦ତମ କ୍ୟାବିନେଟ୍‌ ବୈଠକ ଅବସରରେ ଏହି ପ୍ରକାଶନ ସରକାରଙ୍କ କାର୍ଯ୍ୟର ଏକ ଡକ୍ୟୁମେଣ୍ଟ ଭାବେ ସାମ୍ନାକୁ ଆସିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial