କଲୁଙ୍ଗା ଶିଳ୍ପାଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ

ଅକ୍ଷର ବ୍ୟୁରୋ: ରାଉରକେଲାର କଲୁଙ୍ଗା ଶିଳ୍ପାଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ। କଲୁଙ୍ଗା ଶିଳ୍ପାଞ୍ଚଳର କାବେରୀ ପେଣ୍ଟସ୍ କାରଖାନାରେ ହଠାତ୍ ନିଆଁ ଲାଗି ହୁତୁହୁତୁ ଜଳୁଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁସାରେ ସଟ୍‌ ସର୍କିଟ୍‌ରୁ ନିଆଁ ଲାଗିଥିବା କୁହାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ। କାରଖାନା ଭିତରେ ରଙ୍ଗ ଓ ଇଥାନଲ୍ ଭଳି ଦହନଶୀଳ ସାମଗ୍ରୀ ମହଜୁଦ ଥିବାରୁ ନିଆଁ ଖୁବ୍‌ ଶୀଘ୍ର ବ୍ୟାପିଯାଇଥିବା ସୂଚନା ମିଳିଛି। ନିଆଁର ପ୍ରକୋପ ଏତେ ଭୟଙ୍କର ରହିଛି ଯେ ଘଟଣାସ୍ଥଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚିଥିଲା। ନିଆଁ ଲିଭାଇବା ପାଇଁ ମୋଟ ୫ଟି ଦମକଳ ନିୟୋଜିତ ହୋଇଛି। ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି ନିଆଁକୁ ନିୟନ୍ତ୍ରଣ କରିବାରେ ଲାଗିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ନିଆଁ ସମ୍ପୂର୍ଣ୍ଣ ଭାବେ କାବୁକୁ ଆସିପାରିନଥିବା ସୂଚନା ମିଳିଛି। ଦହନଶୀଳ ସାମଗ୍ରୀ ଥିବାରୁ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ଅଗ୍ନିଶମ ବାହିନୀ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଅଗ୍ନିକାଣ୍ଡର ଖବର ପାଇ କାରଖାନା ମାଲିକ ପପୁ ଜସ୍ୱାଲ ଓ ତାଙ୍କ ସହଯୋଗୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କାରଖାନା ଭିତରେ କେହି ଫସିଛନ୍ତି କି ନାହିଁ, ଅଗ୍ନିକାଣ୍ଡରେ କେତେ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି ଏବଂ ନିଆଁର ପ୍ରକୃତ କାରଣ କଣ, ସେନେଇ ତଦନ୍ତ ଜାରି ରହିଛି। ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବା ପରେ ହିଁ କ୍ଷୟକ୍ଷତିର ପ୍ରକୃତ ଆକଳନ ହୋଇପାରିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial