କୋରାପୁଟ: ଶିକ୍ଷକ ହେଲେ ଛାତ୍ର, ଆଉ ମନ୍ତ୍ରୀ-ସାଂସଦ ସାଜିଲେ ପ୍ରଧାନଶିକ୍ଷକ । କୋରାପୁଟରେ ଅନୁଷ୍ଠିତ ‘ଜ୍ଞାନଦୀପ ୨.୦’ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏଭଳି ନିଆରା ଦୃଶ୍ୟ । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଅଡିଟୋରିଅମ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇଥିଲେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇଥିଲେ । ତେବେ ‘ଜ୍ଞାନଦୀପ ୨.୦’ର ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ଥିଲା ମଞ୍ଚ ଉପରେ ମନ୍ତ୍ରୀ ଓ ସାଂସଦଙ୍କ ଭିନ୍ନ ଭୂମିକା ।
ମଞ୍ଚ ଉପରେ ମନ୍ତ୍ରୀ ଓ ସାଂସଦ ପ୍ରଧାନଶିକ୍ଷକଙ୍କ ଭୂମିକା ନେଇଥିବା ବେଳେ, ମଞ୍ଚ ତଳେ ବସିଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେ ନେଇଥିଲେ ଛାତ୍ରଛାତ୍ରୀଙ୍କ ଭୂମିକା । ପ୍ରତିଦିନ ଶ୍ରେଣୀଗୃହରେ ପିଲାଙ୍କୁ ପାଠ ପଢ଼ାଉଥିବା ଶିକ୍ଷକମାନେ ନିଜେ ଛାତ୍ର ସାଜି ଶିକ୍ଷା ଗ୍ରହଣ କରିଥିଲେ । ଏହି ଅଭିନବ ପ୍ରୟାସର ଉଦ୍ଦେଶ୍ୟ ଥିଲା ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀଙ୍କ ଦୃଷ୍ଟିକୋଣରୁ ଶ୍ରେଣୀଗୃହ ଶିକ୍ଷାଦାନ ପ୍ରକ୍ରିୟାକୁ ବୁଝିବାର ସୁଯୋଗ ଦେବା । ଛାତ୍ରଙ୍କ ମନୋଭାବ, ଆବଶ୍ୟକତା ଏବଂ ଶିକ୍ଷା ଗ୍ରହଣ ସମୟରେ ସେମାନେ ସାମ୍ନା କରୁଥିବା ପରିସ୍ଥିତିକୁ ନିକଟରୁ ଅନୁଭବ କରିବାର ସୁଯୋଗ ପାଇଥିଲେ ଶିକ୍ଷକମାନେ ।
ଶିକ୍ଷକମାନଙ୍କ ମତରେ, ଏହି ଅଭିନବ ପଦକ୍ଷେପ କେବଳ ଏକ ନୂଆ ଅନୁଭୂତି ଦେଇନାହିଁ, ବରଂ ଜଣେ ଛାତ୍ରଙ୍କ ଦୃଷ୍ଟିକୋଣରୁ ଶିକ୍ଷାଦାନ ପ୍ରକ୍ରିୟାକୁ ବୁଝିବାର ଅନୁଭବ ମଧ୍ୟ ଦେଇଛି । ଏହା ଦ୍ୱାରା ଆଗାମୀ ଦିନରେ ଶିକ୍ଷକମାନେ ଶ୍ରେଣୀଗୃହରେ ଆହୁରି ପ୍ରଭାବଶାଳୀ ଏବଂ ଛାତ୍ରକୈନ୍ଦ୍ରିକ ଶିକ୍ଷାଦାନ ପଦ୍ଧତି ଆପଣାଇପାରିବେ ବୋଲି ଆଶା କରାଯାଉଛି ।‘ଜ୍ଞାନଦୀପ ୨.୦’ର ଏହି ନିଆରା ପ୍ରୟାସ ଶିକ୍ଷକମାନଙ୍କୁ ନିଜ ଶିକ୍ଷାଦାନ ପଦ୍ଧତିକୁ ନୂଆ ଦୃଷ୍ଟିକୋଣରୁ ଦେଖିବା ସହ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଅଧିକ ଭଲ ଭାବେ ବୁଝିବାର ଏକ ଅବସର ଦେଇଛି ।














Leave a Reply