ଯାଜପୁର: ଭାଲୁକୁଣୀ ଭସାଣ ବେଳେ ଅଘଟଣ। ଡିଜେ ସାଉଣ୍ଡବକ୍ସ ପଡ଼ି ୭ ଜଣ ଗୁରୁତର ଆହତ। ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତ ଅନ୍ତର୍ଗତ ମହମ୍ମଦ ଜମାପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଆହତମାନଙ୍କୁ ତୁରନ୍ତ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ମହମ୍ମଦ ଜମାପୁର ଗାଁର ସାହୁ ସାହିରେ ଭାଲୁକୁଣୀ ଭସାଣ ଚାଲିଥିଲା। ଏହି ସମୟରେ ଡିଜେ ସାଉଣ୍ଡବକ୍ସର ବେଲ୍ଟ ଗଛର ଏକ ଡାଳରେ ବାଜି ଛିଡ଼ିଯାଇଥିଲା। ଫଳରେ ସାଉଣ୍ଡବକ୍ସଗୁଡ଼ିକ ତଳେ ଥିବା ଝିଅମାନଙ୍କ ଉପରେ ପଡ଼ିଯାଇଥିଲା।
ଘଟଣା ପରେ ଭସାଣ ସ୍ଥଳରେ ହଠାତ୍ ଆତଙ୍କ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ୭ ଜଣ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଝିଅଙ୍କ ଅବସ୍ଥା ଗୁରୁତର ରହିଛି। ଭସାଣ ସମୟରେ ସାଉଣ୍ଡବକ୍ସ କିଭଳି ଖସିଲା ଏବଂ ଏଭଳି ଅଘଟଣର କାରଣ କ’ଣ, ସେନେଇ ଅଧିକ ତଥ୍ୟ ଜଣାପଡ଼ିନାହିଁ। ତେବେ ଘଟଣା ପରେ ଚିକିତ୍ସାଳୟରେ ଆହତମାନଙ୍କ ଚିକିତ୍ସା ଜାରି ରହିଛି।














Leave a Reply