ଭୁବନେଶ୍ୱର: ଭୁବନେଶ୍ୱରରୁ ନିଖୋଜ ହୋଇଥିବା ୩ ନାବାଳକ ଛାତ୍ରଙ୍କୁ ଜଗତସିଂହପୁରରୁ ସୁରକ୍ଷିତ ଉଦ୍ଧାର କରିଛି କମିଶନରେଟ୍ ପୋଲିସ। ଟ୍ୟୁସନ୍ ଯିବାକୁ କହି ଘରୁ ବାହାରିବା ପରେ ୩ ଜଣ ଘରକୁ ଫେରିନଥିଲେ। ଏନେଇ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଜଗତସିଂହପୁରର ଜଣେ ସମ୍ପର୍କୀୟଙ୍କ ଘରୁ ସମସ୍ତଙ୍କୁ ଠାବ କରାଯାଇଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ସୀତାନାଥ ଓ ଆଦର୍ଶ ବସ୍ତିର ଏହି ୩ ନାବାଳକ ଟ୍ୟୁସନ୍ ଯିବା ପାଇଁ ଘରୁ ବାହାରିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ନବମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ଜଣେ ସପ୍ତମ ଶ୍ରେଣୀରେ ପଢ଼ୁଛନ୍ତି। ଟ୍ୟୁସନ୍ ସରିବା ପରେ ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ।
ନାବାଳକମାନଙ୍କ ସନ୍ଧାନ ପାଇଁ କମିଶନରେଟ୍ ପୋଲିସ ବିଭିନ୍ନ ସ୍ଥାନର CCTV ଫୁଟେଜ୍ ଯାଞ୍ଚ କରିଥିଲା। ଏକାଧିକ କ୍ୟାମେରାର ଫୁଟେଜ୍ ଯାଞ୍ଚ ପରେ ୩ ନାବାଳକ ଜଗତସିଂହପୁର ଅଭିମୁଖେ ଯାଇଥିବା ସୁରାକ ମିଳିଥିଲା। ଏହାପରେ କମିଶନରେଟ୍ ପୋଲିସର ଏକ ଟିମ୍ ଜଗତସିଂହପୁର ଯାଇ ଖୋଜାଖୋଜି ଆରମ୍ଭ କରିଥିଲା। ଶେଷରେ ଜଣେ ସମ୍ପର୍କୀୟଙ୍କ ଘରୁ ୩ ନାବାଳକଙ୍କୁ ଠାବ କରି ସୁରକ୍ଷିତ ଉଦ୍ଧାର କରାଯାଇଛି। ସମସ୍ତେ ସୁସ୍ଥ ଓ ସୁରକ୍ଷିତ ଥିବା ସୂଚନା ମିଳିଛି। ତେବେ ଟ୍ୟୁସନ୍ ଯିବାକୁ କହି ଘରୁ ବାହାରିଥିବା ୩ ଛାତ୍ର ହଠାତ୍ ଜଗତସିଂହପୁର କାହିଁକି ଯାଇଥିଲେ, ଏହା ପଛରେ କ’ଣ କାରଣ ରହିଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ନାବାଳକମାନଙ୍କ ସହ କଥା ହେବା ସହ ପରିବାର ଲୋକଙ୍କଠାରୁ ମଧ୍ୟ ପୋଲିସ ଆବଶ୍ୟକ ତଥ୍ୟ ସଂଗ୍ରହ କରୁଛି।














Leave a Reply