ଦାଣ୍ଡବୋଷରୁ ମୋଦୀଙ୍କ ବଡ଼ ଘୋଷଣା: ‘ପାହାଡ଼ପୁର ହେବ ସୂର୍ଯ୍ୟଗ୍ରାମ’, ଓଡ଼ିଶାରେ ଚାଲିଛି ୩ ଲକ୍ଷ କୋଟିର ବିକାଶ କାମ

ଅକ୍ଷର ଓଡିଶା: ଓଡ଼ିଶାର ରାଜନୈତିକ ଓ ବିକାଶ ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟ ଯୋଡ଼ି ଦେଇଛି ମୟୂରଭଞ୍ଜ ଜିଲ୍ଲାର ଦାଣ୍ଡବୋସ ମାଟି। ଓଡ଼ିଶାରେ ବିଜେପି ସରକାରର ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ବିକାଶର ନୂଆ ବାର୍ତ୍ତା ଦେଇଛନ୍ତି। ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କ ଭଲପାଇବା ଓ ଆତ୍ମୀୟତା ପାଇଁ କୃତଜ୍ଞତା ଜଣାଇ କହିଥିଲେ, ଆପଣମାନଙ୍କର ସ୍ନେହ ଓ ଭଲପାଇବା ମୋତେ ବାରମ୍ବାର ଓଡ଼ିଶାକୁ ଟାଣି ଆଣୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ ଅବସରରେ ତାଙ୍କ ଗାଁ ପାହାଡ଼ପୁର ଯାଇ ଶୁଭେଚ୍ଛା ଜଣାଇବାର ସୁଯୋଗ ମିଳିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ।

ସଭାରେ ସବୁଠାରୁ ବଡ଼ ଘୋଷଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁରକୁ ‘ସୂର୍ଯ୍ୟଗ୍ରାମ’ ଭାବେ ବିକଶିତ କରାଯିବ ଏବଂ ଗାଁର ଲୋକମାନେ ମାଗଣା ସୌର ବିଦ୍ୟୁତ୍ ସୁବିଧା ପାଇବେ। ଏହା ସହ ସାନ୍ତାଳୀ ଭାଷାରେ ସମ୍ବିଧାନ ଲେଖାଯାଇଥିବା ଉଲ୍ଲେଖ କରି ଆଦିବାସୀ ସଂସ୍କୃତି ଓ ଭାଷା ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ। ଓଡ଼ିଶା ସରକାରର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରି ମୋଦୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଗତିର ନୂଆ ଦ୍ୱାର ଖୋଲିଛି। ରାଜ୍ୟରେ ଥିବା ଖଣିଜ ସମ୍ପଦ, କୃଷି ଶକ୍ତି ଏବଂ ଯୁବ ପ୍ରତିଭାକୁ ବ୍ୟବହାର କରି ଓଡ଼ିଶାକୁ ଶିଳ୍ପସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ସରକାର କାମ କରୁଥିବା ସେ କହିଥିଲେ। ବର୍ତ୍ତମାନ ଓଡ଼ିଶାରେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ବିକାଶମୂଳକ କାର୍ଯ୍ୟ ଚାଲିଛି, ଯେଉଁଥିରେ ଶକ୍ତି କ୍ଷେତ୍ରରେ ମାତ୍ର ୬ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟାନ୍ୱୟନ ହେଉଛି। ରେଳପଥ ନିର୍ମାଣ, ଭିତ୍ତିଭୂମି ବିକାଶ ଓ ଉତ୍କର୍ଷ ଅଭିଯାନ ଭଳି ଯୋଜନା ରାଜ୍ୟର ଉନ୍ନତିକୁ ତ୍ୱରାନ୍ୱିତ କରୁଥିବା ସେ କହିଥିଲେ।

ସୁଭଦ୍ରା ଯୋଜନା ଏବଂ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଓଡ଼ିଆ ଉପକୃତ ହେଉଛନ୍ତି। ଆଦିବାସୀ ସମାଜ ବର୍ତ୍ତମାନ ବିକାଶର ମୂଳ ସ୍ରୋତରେ ସାମିଲ ହୋଇଥିବା ବେଳେ ଓଡ଼ିଶା ଓ ଦେଶର ବିକାଶ ଲକ୍ଷ୍ୟ ଏକ ଦିଗରେ ଆଗେଇ ଚାଲିଥିବା ସେ ଉଲ୍ଲେଖ କରିଥିଲେ। ଓଡ଼ିଶାର ବିକାଶ ହେଲେ ଭାରତ ଆଗେଇବ। ଡବଲ୍ ଇଞ୍ଜିନ ସରକାରର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ସରକାର ଲୋକଙ୍କ ପାଖକୁ ପହଞ୍ଚୁଛି ଏବଂ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣୁଛି ବୋଲି ସେ କହିଥିଲେ।

ଏହି ଐତିହାସିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ଗଣେଶରାମ ସିଂ ଖୁଣ୍ଟିଆ, ରାଜ୍ୟସଭା ସାଂସଦ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଲୋକସଭା ସାଂସଦ ନବ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଦାଣ୍ଡବୋଷର ଏହି ସଭା କେବଳ ଏକ ସରକାରୀ ଉତ୍ସବ ନୁହେଁ, ବରଂ ଓଡ଼ିଶାର ବିକାଶ, ଆଦିବାସୀ ସଶକ୍ତିକରଣ ଓ ଭବିଷ୍ୟତ ଭାରତ ଗଠନର ଏକ ନୂଆ ସଙ୍କଳ୍ପର ମଞ୍ଚ ଭାବେ ପରିଣତ ହୋଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial