ଅକ୍ଷର ବ୍ୟୁରୋ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳରେ ଏକ ଦନ୍ତା ହାତୀର ରହସ୍ୟଜନକ ମୃତ୍ୟୁ ଘଟିଛି। ହିନ୍ଦୋଳ ବନାଞ୍ଚଳ ଅଧୀନ ବାବନ୍ଧ ସେକ୍ସନର ବମ୍ପା ଗାଁ ନିକଟସ୍ଥ ଅନ୍ଧାରୀ ପୀଠ ନିକଟରୁ ଆଜି ସକାଳେ ଏକ ପୂର୍ଣ୍ଣବୟସ୍କ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ପ୍ରାଥମିକ ସୂଚନା ଅନୁସାରେ, ମୃତ ହାତୀଟିର ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ବନ ବିଭାଗ ଅନୁମାନ କରୁଛି। ତେବେ କେଉଁ କାରଣରୁ ଏହି ଦନ୍ତା ହାତୀର ମୃତ୍ୟୁ ଘଟିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖବର ପାଇ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହର ଯାଞ୍ଚ କରିବା ସହ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି। ନିୟମ ଅନୁଯାୟୀ ହାତୀର ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ୍ କାରଣ ସାମ୍ନାକୁ ଆସିବ ବୋଲି କୁହାଯାଉଛି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ମୃତ ଦନ୍ତା ହାତୀଟି ଗତ କିଛି ଦିନ ହେବ ତା’ର ପଲଠାରୁ ଅଲଗା ହୋଇ ଗାଁ ନିକଟବର୍ତ୍ତୀ ଅଞ୍ଚଳରେ ବୁଲୁଥିଲା। ଏହାପରେ ଆଜି ସକାଳେ ଅନ୍ଧାରୀ ପୀଠ ନିକଟରେ ହାତୀଟିର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ। ଘଟଣାକୁ ଗୁରୁତ୍ୱର ସହ ନେଇ ବନ ବିଭାଗ ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଥିବାବେଳେ, ବ୍ୟବଚ୍ଛେଦ ରିପୋର୍ଟ ପରେ ହାତୀର ମୃତ୍ୟୁ ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ।
















Leave a Reply