ଭିଜିଲାନ୍ସ ଜାଲରେ ନାଚୁଣୀ ଥାନା ASI ଅକ୍ଷୟ ସେଠୀ: ଲାଞ୍ଚ ନେଇ ଫେରାର ପରେ ଶେଷରେ ଗିରଫ

ଅକ୍ଷର ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନାର ସହକାରୀ ଉପ-ନିରୀକ୍ଷକ (ASI) ଅକ୍ଷୟ କୁମାର ସେଠୀ। ଲାଞ୍ଚ ଦାବି ଓ ଗ୍ରହଣ ମାମଲାରେ ଫେରାର ହୋଇଥିବା ଅକ୍ଷୟ ସେଠୀଙ୍କୁ ଦୀର୍ଘ ସମୟର କସରତ ପରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ସୂଚନା ଅନୁଯାୟୀ, ଗତ ୫ ତାରିଖରେ ଜମି ବିବାଦକୁ ନେଇ ଅଭିଯୋଗକାରୀ ଓ ବିପକ୍ଷ ପକ୍ଷ ପରସ୍ପର ବିରୋଧରେ ନାଚୁଣୀ ଥାନାରେ ଦୁଇଟି ମାମଲା ରୁଜୁ କରିଥିଲେ। ଉଭୟ ମାମଲାର ତଦନ୍ତ ଦାୟିତ୍ୱ ASI ଅକ୍ଷୟ କୁମାର ସେଠୀଙ୍କ ଉପରେ ଥିଲା। ପରେ ଦୁଇ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲେ ମଧ୍ୟ ମାମଲାର ଫଇସଲା କରିବା ପାଇଁ ସେ ଉଭୟଙ୍କଠାରୁ ୫ ହଜାର ଟଙ୍କା ଲେଖାଏଁ, ମୋଟ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ଓଡ଼ିଶା ବାହାରେ କାର୍ଯ୍ୟରତ ଥିବାରୁ ଶୀଘ୍ର ମାମଲାର ଫଇସଲା କରିବାକୁ ଅନୁରୋଧ କରିଥିଲେ। ଏହାପରେ ASI ଶପଥପତ୍ର ସହ ୫ ହଜାର ଟଙ୍କା ଆଣିବାକୁ କହିଥିଲେ। ଲାଞ୍ଚ ଦାବିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଫାନ୍ଦ ପକାଇ ASIଙ୍କ ଉପରେ ନଜର ରଖିଥିଲା। ଅକ୍ଷୟ ସେଠୀ ୫ ହଜାର ଟଙ୍କା ଲାଞ୍ଚ ନେବା ପରେ ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ଅନ୍ଧାରୁଆ ସ୍ଥାନରୁ ଟଙ୍କା ସହ ମୋଟରସାଇକେଲରେ ଫେରାର ହୋଇଯାଇଥିଲେ। ଏହାପରେ ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଖୋଜାଖୋଜି ଚାଲିଥିଲା। ଦୀର୍ଘ ସମୟର ଅପରେସନ୍ ପରେ ଭିଜିଲାନ୍ସ ଅକ୍ଷୟ କୁମାର ସେଠୀଙ୍କୁ ଗିରଫ କରିଛି। ଘଟଣା ପରେ ନାଚୁଣୀ ଥାନା ପୋଲିସର ଉପସ୍ଥିତିରେ ଭିଜିଲାନ୍ସ ଟିମ୍ ତାଙ୍କ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରି ପ୍ରମାଣ ସଂଗ୍ରହ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)