ଅକ୍ଷର ବ୍ୟୁରୋ: ବୌଦ୍ଧ ଜିଲ୍ଲାରେ ଚାଲିଥିବା ଏସଆଇଆର (Special Intensive Revision) କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ଦୁଇଜଣ ବୁଥ୍ ଲେଭେଲ୍ ଅଫିସର୍ (BLO)ଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଇଛି। କର୍ତ୍ତବ୍ୟରେ ଅବହେଳା ଓ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କାର୍ଯ୍ୟରେ ଅନୁପସ୍ଥିତ ରହିବା ଅଭିଯୋଗରେ ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତି ଭୂଷଣ ନାଏକ ଉଭୟଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା ଦୁଇ ବିଏଲଓ ହେଲେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ଗଣ୍ଡିସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବୀରେନ୍ଦ୍ର ବେହେରା ଏବଂ ଖରଭୂଇଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିବ ଚନ୍ଦ୍ର ଗାଆଣ ।
ସୂଚନା ଅନୁଯାୟୀ, ବୀରେନ୍ଦ୍ର ବେହେରାଙ୍କୁ ୧୭୬-ଗଣ୍ଡିସର ଏବଂ ଶିବ ଚନ୍ଦ୍ର ଗାଆଣଙ୍କୁ ୧୬୯-ଖରଭୂଇଁ ମତଦାନ କେନ୍ଦ୍ରର ବୁଥ୍ ଲେଭେଲ୍ ଅଫିସର୍ ଭାବେ ଦାୟିତ୍ୱ ଦିଆଯାଇଥିଲା। ତେବେ ଏସଆଇଆର କାର୍ଯ୍ୟ ଚାଲିଥିବା ସମୟରେ ଉଭୟ ଅଧିକାରୀ ବାରମ୍ବାର ଅନୁପସ୍ଥିତ ରହିଥିଲେ। ଏନେଇ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଦନ୍ତ କରି ଅନୁପସ୍ଥିତି ସମ୍ପର୍କରେ ରିପୋର୍ଟ ଦେଇଥିଲେ। ରିପୋର୍ଟକୁ ଗୁରୁତ୍ୱର ସହ ନେଇ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ଉଭୟ ବିଏଲଓଙ୍କୁ ନିଲମ୍ବନ କରିବା ସହ ସେମାନଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନର ଏହି କଠୋର ପଦକ୍ଷେପ ସରକାରୀ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ପାଇଁ ଏକ ସ୍ପଷ୍ଟ ବାର୍ତ୍ତା ବୋଲି ଚର୍ଚ୍ଚା ହେଉଛି। ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟରେ ଦାୟିତ୍ୱହୀନତାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସଙ୍କେତ ମିଳିଛି।












Leave a Reply