ଅକ୍ଷର ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ପୁଅ । ଜଗତସିଂହପୁର ଜିଲ୍ଲା କୋଟକଣା ଗାଁର ଆଦର୍ଶ ବେହେରା ହାଇଦ୍ରାବାଦରୁ ଭୁବନେଶ୍ୱରକୁ ସୁରକ୍ଷିତ ଫେରିଲେ । ବିମାନବନ୍ଦରରେ ପହଞ୍ଚି ନିଜ ପୁଅକୁ ଦେଖି ଭାବବିହ୍ୱଳ ହୋଇପଡ଼ିଲେ ଆଦର୍ଶ । ବିଦ୍ରୋହୀ ଆତଙ୍କୀ ସଂଗଠନ RSF ଆଦର୍ଶଙ୍କୁ ଅପହରଣ କରିନେଇଥିଲା । ଭୁବନେଶ୍ୱରରେ ପହଞ୍ଚିବା ପରେ ଆଦର୍ଶ କହିଛନ୍ତି, ମୋତେ ସୁଦାନରୁ ସୁରକ୍ଷିତ ଫେରାଇ ଆଣିବାରେ କେନ୍ଦ୍ର ଓ ଓଡ଼ିଶା ସରକାର ଯେଉଁଭଳି ପଦକ୍ଷେପ ନେଇଛନ୍ତି, ସେଥିପାଇଁ ମୁଁ ଆଜୀବନ କୃତଜ୍ଞ ରହିବି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି ।
ଫେରିବା ପରେ ନିଜ ଯନ୍ତ୍ରଣା ବଖାଣିଥିଲେ ଆଦର୍ଶ । ମୋତେ ସେନାର କର୍ମଚାରୀ ଭାବି ଅପହରଣ କରି ନିଆଯିବା ପରେ ପ୍ରଥମ ୪ ଦିନ ଜଙ୍ଗଲରେ ରଖାଯାଇଥିଲା । ପରେ ଦେଢ଼ ମାସ କାଳ ଜେଲରେ ରଖାଯାଇଥିଲା । ବଞ୍ଚିବି କି ନାହିଁ ତାହା ଜାଣିନଥିଲି । ଦିନେ ଖାଇଲେ ପର ଦିନ ଓପାସରେ ରହୁଥିଲି । ମୋତେ ମାରପିଟ କରୁଥିଲେ । କିନ୍ତୁ ଭାରତୀୟ ବୋଲି ଜାଣିବା ପରେ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖା ଦେଇଥିଲା । ସେମାନଙ୍କ ଭିତରୁ କିଛି ଭଲ ଲୋକେ ମୋତେ ବହୁତ ସାହାଯ୍ୟ କରିଥିଲେ । ସେମାନଙ୍କ ମୋବାଇଲରୁ ମୁଁ ପରିବାର ସହ ଯୋଗାଯୋଗ କରିଥିଲି ବୋଲି କହିଥିଲେ ଆଦର୍ଶ । ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚେଷ୍ଟାରୁ ଉଦ୍ଧାର ହୋଇଛନ୍ତି ଆଦର୍ଶ ବେହେରା । ସୁଦାନରେ ଗୃହଯୁଦ୍ଧ ଚାଲିଥିବା ବେଳେ ବିଦ୍ରୋହୀଙ୍କ ଦ୍ବାରା ଅପହରଣ ପରେ ପଣବନ୍ଦୀ ଥିବା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ତରଜଙ୍ଗା ପଞ୍ଚାୟତ କୋଟକଣାର ଆଦର୍ଶ ବେହେରାଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।












Leave a Reply