ଅକ୍ଷର ବ୍ୟୁରୋ: ବନ୍ୟାରେ ବେହାଲ ଓଡ଼ିଶା। ଉତ୍ତର ଓଡ଼ିଶା ସମେତ ରାଜ୍ୟର ଅନେକ ଜିଲ୍ଲାରେ ଏବେ ବି ବନ୍ୟାର ପ୍ରଭାବ ଜାରି ରହିଛି। ଅନେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ଜୀବନ କାଟୁଥିବା ବେଳେ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଛି। ଏଭଳି ସ୍ଥିତିରେ ବନ୍ୟା ପ୍ରଭାବିତ ଲୋକଙ୍କ ସ୍ଥିତି ପରଖିବା ପାଇଁ ଆଜି ଭଦ୍ରକ ଓ ଯାଜପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭଦ୍ରକ ଓ ଯାଜପୁରର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ମୁଖ୍ୟମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିବେ। ନଦୀଜଳ ଫୁଲିବା ଯୋଗୁଁ ଦୁଇ ଜିଲ୍ଲାର ଅନେକ ଗାଁ ଓ ଚାଷଜମି ପାଣିରେ ବୁଡ଼ି ରହିଛି। ଜଳବନ୍ଦୀ ଲୋକଙ୍କ ନିକଟରେ ରିଲିଫ୍ ଓ ଉଦ୍ଧାର ବ୍ୟବସ୍ଥା କେତେ ଦୂର ପହଞ୍ଚିଛି, ତାହାର ମଧ୍ୟ ସମୀକ୍ଷା କରିବେ।
ବନ୍ୟାଜଳ ଘେରରେ ଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଉଛି। ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଯୋଗାଣ ମଧ୍ୟ ଜାରି ରହିଛି। ଆଗକୁ ବର୍ଷା ଲାଗି ରହିଲେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ କିପରି ଆହୁରି ତ୍ୱରାନ୍ୱିତ କରାଯିବ, ସେନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇପାରନ୍ତି। ବନ୍ୟାର ସବୁଠାରୁ ବଡ଼ ପ୍ରଭାବ ପଡ଼ିଛି ଚାଷବାସ ଉପରେ। ଏକର ଏକର ଚାଷଜମି ପାଣିରେ ବୁଡ଼ି ରହିଥିବାରୁ ଧାନ ସମେତ ବିଭିନ୍ନ ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଚାଷୀଙ୍କ କ୍ଷୟକ୍ଷତି ଓ ସେମାନଙ୍କ ପାଇଁ ସହାୟତା ବ୍ୟବସ୍ଥା ଉପରେ ମଧ୍ୟ ଫୋକସ୍ ରହିପାରେ। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ପ୍ରଶାସନ ଓ ବରିଷ୍ଠ ଅଧିକାରୀଙ୍କ ସହ ବନ୍ୟା ସ୍ଥିତି, ଉଦ୍ଧାର, ରିଲିଫ୍ ଓ ଆଗାମୀ ପ୍ରସ୍ତୁତି ନେଇ ଆଲୋଚନା କରିବେ। ଆଗକୁ ବର୍ଷା ବଢ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଆବଶ୍ୟକ ସ୍ଥାନରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ଉପରେ ନିର୍ଦ୍ଦେଶ ଦିଆଯାଇପାରେ।














Leave a Reply