ଲଘୁଚାପର ଲଗାଣ ବର୍ଷାରେ ବେହାଲ ଓଡ଼ିଶା: ୫ ଜିଲ୍ଲାକୁ ରେଡ୍ ଆଲର୍ଟ, ଜଳମଗ୍ନ ସହର-ଗାଁ; ଜନଜୀବନ ଅସ୍ତବ୍ୟସ୍ତ

ଅକ୍ଷର ବ୍ୟୁରୋ: ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ସୁଦୃଶ୍ୟ ଲଘୁଚାପ ବଳୟ ପ୍ରଭାବରେ ସମଗ୍ର ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, କୋରାପୁଟ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ତୁହାକୁ ତୁହା ବର୍ଷା ହେଉଥିବାରୁ ଜନଜୀବନ ପୂରାପୂରି ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାସ୍ତାଘାଟ ପାଣିରେ ବୁଡ଼ିଥିବା ବେଳେ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଜଳନିଷ୍କାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରୁ କିଛି ସ୍ଥାନରେ ଘର ଭିତରକୁ ଡ୍ରେନ୍ ପାଣି ପଶିଯାଇଛି ଏବଂ ଯାତାୟାତ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ ବଳୟରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତା କିଛି ଦିନ ଯାଏଁ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିବାର ସମ୍ଭାବନା ରହିଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପାଇଁ ୫ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାରେ ୮ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ସମେତ ୧୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବଢ଼ୁଥିବାରୁ ବନ୍ୟା ଆଶଙ୍କାକୁ ମଧ୍ୟ ଅସ୍ୱୀକାର କରାଯାଇପାରୁ ନାହିଁ। ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ସତର୍କତା ବଢ଼ାଯାଇଥିବା ବେଳେ ସାଧାରଣ ଲୋକଙ୍କୁ ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରକୁ ନଯିବା ଏବଂ ପାଣିପାଗ ବିଭାଗର ସତର୍କ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial