ବନ୍ୟା ଘେରରେ ଓଡ଼ିଶା: ଭଦ୍ରକ-ଯାଜପୁର ଯିବେ ମୁଖ୍ୟମନ୍ତ୍ରୀ, ବାତିଲ ହେଲା ସରକାରୀ କର୍ମଚାରୀଙ୍କ ଛୁଟି

ଅକ୍ଷର ବ୍ୟୁରୋ: ଲଗାଣ ବର୍ଷାରେ ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ଜନଜୀବନକୁ ପ୍ରଭାବିତ କରିଥିବା ବେଳେ ଆହୁରି ଦୁଇ ଦିନ ବର୍ଷା ହେବାର ଆଶଙ୍କା ଥିବାରୁ ସ୍ଥିତି ଆହୁରି ଜଟିଳ ହେବା ନେଇ ଚିନ୍ତା ବଢ଼ିଛି। ଏଭଳି ସ୍ଥିତିରେ ବନ୍ୟା ପରିସ୍ଥିତିର ସ୍ଥିତି ପରଖିବାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଓ ଯାଜପୁର ବନ୍ୟାଞ୍ଚଳ ପରିଦର୍ଶନ କରିବେ। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪୯ଟି ବ୍ଲକ୍‌ର ୩୩୧ଟି ପଞ୍ଚାୟତ ଅଧୀନ ୯୯୭ଟି ଗାଁ ଏବଂ ୫ଟି ସହରାଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି। ମୋଟ ୫.୧୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ୨.୩୭ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପ୍ରଭାବିତଙ୍କ ପାଇଁ ବିଭିନ୍ନ ସ୍ଥାନରେ ୨୯୩ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି। ଏଠାରେ ଆଶ୍ରୟ ନେଇଥିବା ଲୋକଙ୍କୁ ଆବଶ୍ୟକ ସହାୟତା ଓ ରିଲିଫ୍ ସାମଗ୍ରୀ ଯୋଗାଣ ଜାରି ରହିଛି। ବନ୍ୟା ମୁକାବିଲା ଓ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ବିଭିନ୍ନ ପ୍ରଭାବିତ ଜିଲ୍ଲାରେ ୩୬ଟି ଓଡ୍ରାଫ୍‌ ଟିମ୍‌, ୭ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଏବଂ ୪୩ଟି ଅଗ୍ନିଶମ ସେବା ଟିମ୍‌ ନିୟୋଜିତ ଅଛନ୍ତି। ଆବଶ୍ୟକ ସ୍ଥାନରେ ଲୋକଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନକୁ ନେବା ସହ ରିଲିଫ୍ କାର୍ଯ୍ୟ ଚାଲିଛି।

ବର୍ଷା ଓ ବନ୍ୟାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଯେଉଁ କର୍ମଚାରୀମାନେ ପୂର୍ବରୁ ଛୁଟି ନେଇଥିଲେ, ସେମାନଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି। ବନ୍ୟା ମୁକାବିଲାରେ ପ୍ରଶାସନିକ ଯନ୍ତ୍ରକୁ ସମ୍ପୂର୍ଣ୍ଣ ସକ୍ରିୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହାସହ ବନ୍ୟାରେ ଅଧିକ ପ୍ରଭାବିତ ତିନିଟି ଜିଲ୍ଲାରେ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ତିନିଜଣ ଆଇଏଏସ୍‌ ଅଧିକାରୀଙ୍କୁ ପଠାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଓ ଯାଜପୁରର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ସେଠାରେ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ପାଖରେ ରିଲିଫ୍ ଓ ଉଦ୍ଧାର ବ୍ୟବସ୍ଥା ଠିକ୍‌ ଭାବେ ପହଞ୍ଚୁଛି କି ନାହିଁ, ତାହାର ସମୀକ୍ଷା କରିବେ। ସ୍ଥାନୀୟ ପ୍ରଶାସନ ଓ ଅଧିକାରୀଙ୍କ ସହ ବନ୍ୟା ମୁକାବିଲା ନେଇ ଆଲୋଚନା କରିବା ସହ ଆବଶ୍ୟକ ନିର୍ଦ୍ଦେଶ ଦେବାର ସମ୍ଭାବନା ରହିଛି।

ଅନ୍ୟପଟେ, ଆଜି ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବନ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ହୋଇଥିବା ବେଳେ ଭର୍ଚୁଆଲ୍‌ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗଦେଇଥିଲେ। ଆଗାମୀ ଦୁଇ ଦିନ ବର୍ଷା ଜାରି ରହିବାର ଆଶଙ୍କା ମଧ୍ୟରେ ବନ୍ୟା ପରିସ୍ଥିତି ଉପରେ ସରକାରଙ୍କ ନଜର ରହିଛି। ଏବେ ଉଦ୍ଧାର, ରିଲିଫ୍‌ ଓ ଲୋକଙ୍କୁ ସୁରକ୍ଷିତ ରଖିବା ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial