ଦୁବାଇ ରୋଡ୍‌ଶୋରେ ୟୁଏଇ ନିବେଶକଙ୍କୁ ଓଡ଼ିଶାର ଆହ୍ୱାନ, ନିବେଶ ପାଇଁ ଖୋଲିଲା ବିପୁଳ ସୁଯୋଗ

ଅକ୍ଷର ବ୍ୟୁରୋ: ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ୟୁଏଇ ନିବେଶକମାନଙ୍କୁ ସହଭାଗୀ ହେବା ପାଇଁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁବାଇରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀ–ୟୁଏଇ ୨୦୨୬ରେ ପ୍ରାୟ ୪୦୦ ଜଣ ବ୍ୟବସାୟୀ, ନିବେଶକ ଏବଂ ୟୁଏଇ ବ୍ୟବସାୟିକ ସମୁଦାୟର ପ୍ରତିନିଧି ଯୋଗଦେଇଥିଲେ। ଏହି ରୋଡ୍‌ଶୋ ମାଧ୍ୟମରେ ଓଡ଼ିଶାର ଶିଳ୍ପ ଓ ନିବେଶ କ୍ଷେତ୍ରରେ ୟୁଏଇ ପୁଞ୍ଜିକୁ ଆକୃଷ୍ଟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ନିବେଶକଙ୍କ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାକୃତିକ ସମ୍ପଦ, ପ୍ରତିଯୋଗିତାମୂଳକ ଶକ୍ତି, ବନ୍ଦର, ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଏବଂ ନିବେଶ ଅନୁକୂଳ ପରିବେଶ ସମ୍ପର୍କରେ ଉପସ୍ଥାପନ କରିଥିଲେ। ଓଡ଼ିଶାରେ ନିବେଶ ପାଇଁ ଉପଲବ୍ଧ ବିଭିନ୍ନ ସୁଯୋଗ ସମ୍ପର୍କରେ ୟୁଏଇ ନିବେଶକଙ୍କୁ ଅବଗତ କରାଯାଇଥିଲା।ବିଶେଷକରି LNG ଷ୍ଟୋରେଜ୍‌, ଗ୍ରୀନ୍‌ ଏନର୍ଜି, କୃତ୍ରିମ ବୁଦ୍ଧିମତ୍ତା (AI) ଡାଟା ସେଣ୍ଟର, ରେୟାର୍‌ ଆର୍ଥ୍‌, ଜାହାଜ ମରାମତି, ପ୍ରୋପେଲାଣ୍ଟ ଉତ୍ପାଦନ, ସାର ଓ ରସାୟନ, ହାଉସିଂ, ଷ୍ଟିଲ୍‌ ଏବଂ ଡାଉନଷ୍ଟ୍ରିମ୍‌ ଶିଳ୍ପ ଭଳି କ୍ଷେତ୍ରରେ ନିବେଶ ସୁଯୋଗ ଉପରେ ଆଲୋଚନା ହୋଇଥିଲା।

ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସରକାରଙ୍କ ‘ସ୍ପିଡ୍‌, ସର୍ଟନିଟି ଆଣ୍ଡ ଏକ୍ଜିକ୍ୟୁସନ୍‌’ ଅର୍ଥାତ୍‌ ଶୀଘ୍ରତା, ନିଶ୍ଚିତତା ଓ କାର୍ଯ୍ୟାନ୍ୱୟନ ନୀତି ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରକଳ୍ପର ପ୍ରତ୍ୟେକ ପର୍ଯ୍ୟାୟରେ ନିବେଶକମାନଙ୍କୁ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନ ଦେଇଥିଲେ।କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ, ଭାରତୀୟ କୂଟନୈତିକ ପ୍ରତିନିଧି ଏବଂ ୟୁଏଇର ପ୍ରମୁଖ ଶିଳ୍ପପତିମାନେ ଉପସ୍ଥିତ ଥିଲେ। ଦୁବାଇ ରୋଡ୍‌ଶୋ ଓଡ଼ିଶା–ୟୁଏଇ ଆର୍ଥିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ରାଜ୍ୟରେ ପୁଞ୍ଜି, ପ୍ରଯୁକ୍ତି, ଶିଳ୍ପ ଏବଂ ନିଯୁକ୍ତି ସୃଷ୍ଟି ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial