ନରାଜରେ ହେବ ‘ଓଡ଼ିଶା ସିଲିକନ୍ ଭ୍ୟାଲି’: ୮୭୦ ଏକରରେ ସେମିକଣ୍ଡକ୍ଟର-ଇଲେକ୍ଟ୍ରୋନିକ୍ସ ହବ୍

ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶାରେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଶିଳ୍ପକୁ ନୂଆ ଦିଗ ଦେବା ପାଇଁ ବଡ଼ ପଦକ୍ଷେପ। କଟକ ନରାଜ ନିକଟରେ ପ୍ରାୟ ୮୭୦ ଏକର ଜମିରେ ‘ଓଡ଼ିଶା ସିଲିକନ୍ ଭ୍ୟାଲି’ ବିକଶିତ କରାଯିବ। ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ-୨୦୨୬ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି।

ଏହି କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ସରକାର ୨୩,୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଥିବା ବେଳେ, ଏହି ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେଲେ ପ୍ରାୟ ୬,୧୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି। ଏଥିସହ ରାଜ୍ୟ ସରକାର ଓ କ୍ୱାଡ୍‌କ୍ୱାଣ୍ଟମ୍ ମଧ୍ୟରେ ଏକ ଇଚ୍ଛାପତ୍ର (MoU) ସ୍ୱାକ୍ଷର ହୋଇଛି। କମ୍ପାନି ପକ୍ଷରୁ ଓଡ଼ିଶାରେ ସିଲିକନ୍ କାର୍ବାଇଡ୍ (SiC) ସବ୍‌ଷ୍ଟ୍ରେଟ୍ ୱାଫର୍ ଉତ୍ପାଦନ କରିବାର ଯୋଜନା ରହିଛି। ପ୍ରସ୍ତାବିତ ‘ଓଡ଼ିଶା ସିଲିକନ୍ ଭ୍ୟାଲି’ ପାଇଁ ଜମି ବ୍ୟାଙ୍କ ସୃଷ୍ଟି କରାଯାଉଛି। ଏହି ଅଞ୍ଚଳରେ ଶିଳ୍ପ ସ୍ଥାପନ ପାଇଁ ୧୦ରୁ ୧୨ଟି କମ୍ପାନି ସହ ଆଲୋଚନା ଚାଲିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ହବ୍‌ରେ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପ ସ୍ଥାପନ କରାଯିବ।

ନରାଜର ଭୌଗୋଳିକ ଅବସ୍ଥିତି ଏହି ପ୍ରକଳ୍ପ ପାଇଁ ଅନୁକୂଳ ବୋଲି ସରକାର ପକ୍ଷରୁ କୁହାଯାଇଛି। କଟକ-ଭୁବନେଶ୍ୱର ସହରାଞ୍ଚଳ କରିଡର, ପ୍ରମୁଖ ରାଜପଥ ଏବଂ ପାରାଦୀପ ଓ ଧାମରା ବନ୍ଦର ସହ ଭଲ ଯୋଗାଯୋଗ ରହିଛି। ଏହା ସେମିକଣ୍ଡକ୍ଟର ଶିଳ୍ପ, ଯୋଗାଣ ଶୃଙ୍ଖଳ ଓ ଆନୁଷଙ୍ଗିକ ଶିଳ୍ପ ପାଇଁ ସୁବିଧାଜନକ ହେବ। ଏଥିସହ ସେମିକଣ୍ଡକ୍ଟର ପ୍ରକଳ୍ପ ପାଇଁ ଆବଶ୍ୟକ ଜଳ ଯୋଗାଣ କ୍ଷେତ୍ରରେ ନିକଟରେ ଥିବା ମହାନଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ। ଓଡ଼ିଶାରେ ସେମିକଣ୍ଡକ୍ଟର ପରିସଂସ୍ଥା ବିକାଶ ଲକ୍ଷ୍ୟରେ ‘ନ୍ୟାସନାଲ୍ ଇଣ୍ଡଷ୍ଟ୍ରି କୋ-ଡେଭଲପମେଣ୍ଟ ହବ୍ ଅନ୍ ଇଣ୍ଟିଗ୍ରେଟେଡ୍ ପାୱାର୍ ଇଲେକ୍ଟ୍ରୋନିକ୍ସ’ ପାଇଁ ୪୫୨ କୋଟି ଟଙ୍କାର ନିବେଶ ଅନୁମୋଦିତ ହୋଇଛି। ଭାରତ ସରକାର, ଓଡ଼ିଶା ସରକାର, ନ୍ୟାସନାଲ୍ ରିସର୍ଚ୍ଚ ଫାଉଣ୍ଡେସନ୍ ଓ ଆଇଆଇଟି ଭୁବନେଶ୍ୱରର ସହଭାଗିତାରେ ଏହି ହବ୍ ବିକଶିତ ହେବ। ଏଥିରେ ଓଡ଼ିଶା ସରକାର ୧୨୫ କୋଟି ଟଙ୍କା ନିବେଶ କରୁଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଲକ୍ଷ୍ୟ କେବଳ କିଛି ନିର୍ଦ୍ଦିଷ୍ଟ ପ୍ରକଳ୍ପ ଆଣିବା ନୁହେଁ; ବରଂ ରାଜ୍ୟରେ ଏକ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ପରିସଂସ୍ଥା ଗଢ଼ି ତୋଳିବା। ଯେଉଁଠାରେ କମ୍ପାନିଗୁଡ଼ିକ ଉତ୍ପାଦନ, ଗବେଷଣା ଓ ନବସୃଜନ ସହ ଆଗକୁ ବଢ଼ିପାରିବେ। ସେମିକନ୍ ଇଣ୍ଡିଆ-୨୦୨୬ ଅବସରରେ ୩ଡିଜିଏସ୍‌, ସିକ୍ସେମ୍‌, ଆପ୍ଲାଏଡ୍ ମାଟେରିଆଲ୍ସ, ଏଲ୍‌ଏଏମ୍ ରିସର୍ଚ୍ଚ, ସାଇଏଣ୍ଟ, ଲିଣ୍ଡେ ଓ ହୋରିବା ଇଣ୍ଡିଆ ଭଳି ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନିର ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଏଥିସହ ସ୍ୱିଡେନ୍‌, ତାଇୱାନ୍‌ ଓ ଜାପାନର ପ୍ରତିନିଧିଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ।

କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଭିଲିୟନ୍‌ ଉଦ୍‌ଘାଟନ କରିଥିଲେ। ପାଭିଲିୟନରେ ଆର୍‌ଆଇଆର୍ ପାୱାର, ସିକ୍ସେମ୍‌, ୩ଡିଜିଏସ୍‌, ଏଆର୍‌ଏଫ୍ ଡିଜାଇନର ପ୍ରକଳ୍ପ ସହ ଏନ୍‌ଆଇଟି ରାଉରକେଲା ଓ ପିଏମ୍‌ଇସି, ବ୍ରହ୍ମପୁର ଭଳି ଶିକ୍ଷାନୁଷ୍ଠାନ ଦ୍ୱାରା ବିକଶିତ ଚିପ୍ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଏନ୍‌ଆଇଟି ରାଉରକେଲା ଦ୍ୱାରା ଡିଜାଇନ୍ କରାଯାଇଥିବା ଚିପ୍ ସମେତ ବିଭିନ୍ନ ଚିପ୍‌କୁ ନେଇ ପ୍ରସ୍ତୁତ ଏକ ମେମେଣ୍ଟୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ରାଉରକେଲାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଓଡ଼ିଶାର ଛାତ୍ରଛାତ୍ରୀମାନେ ବିଶ୍ୱର ଆଧୁନିକ EDA ଟୁଲ୍‌ ବ୍ୟବହାର କରି ଚିପ୍ ଡିଜାଇନ୍ କରୁଛନ୍ତି।

ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ, ରାଜ୍ୟ ସରକାର କେବଳ କିଛି ପ୍ରକଳ୍ପ ହାସଲ କରିବା ଉପରେ ନୁହେଁ, ବରଂ ସେମିକଣ୍ଡକ୍ଟରକୁ କେନ୍ଦ୍ର କରି ଏକ ସମ୍ପୂର୍ଣ୍ଣ ଶିଳ୍ପ ପରିସଂସ୍ଥା ଗଠନ କରିବା ଉପରେ ଗୁରୁତ୍ୱ ଦେଉଛି। ବୈଠକରେ ମୁଖ୍ୟ ସଚିବ ଅନୁ ଗର୍ଗ ଏବଂ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଳ ଦେବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial