ଅକ୍ଷର ବ୍ୟୁରୋ: ସବୁଜ ଶକ୍ତି ଏବଂ ପରିବେଶ ଅନୁକୂଳ ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଓଡ଼ିଶା ସରକାର ଜାପାନର ପ୍ରତିଷ୍ଠିତ IHI Corporation ଏବଂ ACME Group ସହ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପତ୍ର (MoC) ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ମାଧ୍ୟମରେ ରାଜ୍ୟରେ ପ୍ରାୟ ୬୭ ହଜାର କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ ହେବା ସହ ୭,୬୦୦ରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ସବୁଜ ଅର୍ଥନୀତିକୁ ଆହୁରି ମଜବୁତ କରିବା ସହ ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ କେନ୍ଦ୍ର କରି ଦୁଇଟି ଗ୍ରୀନ୍ ଇଣ୍ଡଷ୍ଟ୍ରିଆଲ୍ କରିଡର ବିକାଶ କରାଯିବ।
ଚୁକ୍ତି ଅନୁସାରେ, ଗୋପାଳପୁରରେ ୨୦,୦୦୦ କୋଟି ଟଙ୍କା ବିନିଯୋଗରେ ୦.୪ MTPA କ୍ଷମତାର ଗ୍ରୀନ୍ ଆମୋନିଆ ପ୍ରକଳ୍ପ ସ୍ଥାପନ କରାଯିବ। ଏହା ମାଧ୍ୟମରେ ୩,୪୦୦ ଜଣଙ୍କୁ ନିଯୁକ୍ତି ମିଳିବ। ସେହିପରି ୧,୦୦୦ କୋଟି ଟଙ୍କା ବ୍ୟୟରେ ଏକ ଫ୍ଲୋଟିଂ ଟର୍ମିନାଲ୍ ଭିତ୍ତିଭୂମି ମଧ୍ୟ ନିର୍ମାଣ କରାଯିବ। ପାରାଦୀପରେ ପ୍ରଥମ ପର୍ଯ୍ୟାୟରେ ୩୪,୦୦୦ କୋଟି ଟଙ୍କା ବିନିଯୋଗରେ ୦.୮ MTPA କ୍ଷମତାର ଗ୍ରୀନ୍ ଆମୋନିଆ ପ୍ରକଳ୍ପ ସ୍ଥାପନ କରାଯିବ, ଯାହା ମାଧ୍ୟମରେ ୩,୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାଛଡ଼ା ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ୦.୧ MTPA କ୍ଷମତାର ଗ୍ରୀନ୍ ମିଥାନଲ୍ ପ୍ରକଳ୍ପ ମଧ୍ୟ ନିର୍ମାଣ କରାଯିବ। ଏହି ପ୍ରକଳ୍ପରୁ ୬୦୦ ଜଣଙ୍କ ପାଇଁ ନୂତନ ରୋଜଗାର ସୃଷ୍ଟି ହେବ।
ACME Group ପକ୍ଷରୁ କୁହାଯାଇଛି ଯେ, ଭୌଗୋଳିକ ଦୃଷ୍ଟିରୁ ଓଡ଼ିଶାର ସମୁଦ୍ର ଉପକୂଳ ଅବସ୍ଥିତି ଜାପାନ ଭଳି ଦେଶକୁ ଗ୍ରୀନ୍ ଏନର୍ଜି ଓ ଗ୍ରୀନ୍ ଆମୋନିଆ ରପ୍ତାନି ପାଇଁ ଅତ୍ୟନ୍ତ ଉପଯୁକ୍ତ । ଏହା ଓଡ଼ିଶାକୁ ଆନ୍ତର୍ଜାତୀୟ ସବୁଜ ଶକ୍ତି ବଜାରରେ ଏକ ପ୍ରମୁଖ ରପ୍ତାନି କେନ୍ଦ୍ରରେ ପରିଣତ କରିପାରିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ IHI Corporationକୁ ଓଡ଼ିଶାରେ Japanese Green Engineering and Innovation Centre ସ୍ଥାପନ କରିବାକୁ ଆମନ୍ତ୍ରଣ ଜଣାଇଥିବାବେଳେ, Mitsubishi Corporationକୁ ମଧ୍ୟ ଗ୍ରୀନ୍ କେମିକାଲ୍ସ କ୍ଷେତ୍ରରେ ବିନିଯୋଗ ପାଇଁ ଆହ୍ୱାନ କରିଛନ୍ତି। ଏହି ଐତିହାସିକ ଚୁକ୍ତି କେବଳ ବିପୁଳ ପୁଞ୍ଜିନିବେଶ ଓ ରୋଜଗାର ସୁଯୋଗ ସୃଷ୍ଟି କରିବ ନୁହେଁ, ବରଂ ସ୍ୱଚ୍ଛ ଶକ୍ତି, ଗ୍ରୀନ୍ ଫ୍ୟୁଏଲ୍ ଏବଂ ପରିବେଶ ଅନୁକୂଳ ଶିଳ୍ପରେ ଓଡ଼ିଶାକୁ ଭାରତର ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।
















Leave a Reply