ଓଡ଼ିଶା ପର୍ଯ୍ୟଟନକୁ ମିଳିବ ବିଶ୍ୱ ବଜାର: OTB-୨୦୨୬ରେ ୯୨ରୁ ଅଧିକ ସଂସ୍ଥା, ୬ ହଜାର ବୈଠକ

ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥିତିକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ଆରମ୍ଭ ହେବ ଓଡ଼ିଶା ଟ୍ରାଭେଲ ବଜାର (OTB)-୨୦୨୬। ଆସନ୍ତା ଅକ୍ଟୋବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ମେଫେୟାରରେ OTBର ସପ୍ତମ ସଂସ୍କରଣ ଆୟୋଜିତ ହେବ। ଗୁରୁବାର ମେଫେୟାର ଲାଗୁନ୍‌ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଘୋଷଣା କରିଛନ୍ତି।

ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଫିକିର ମିଳିତ ସହଯୋଗରେ ହେବାକୁ ଥିବା ଏହି ତିନିଦିନିଆ ବ୍ୟବସାୟିକ ପର୍ଯ୍ୟଟନ କାର୍ଯ୍ୟକ୍ରମରେ ୯୨ରୁ ଅଧିକ ଘରୋଇ ସଂସ୍ଥା, ୨୭ଟି ଦେଶର ବିଦେଶୀ ଟୁର୍ ଅପରେଟର ଏବଂ ଦେଶର ୩୨ଟି ସହରର କ୍ରେତା ଏକାଠି ହେବେ। କାର୍ଯ୍ୟକ୍ରମରେ ପୂର୍ବ ନିର୍ଦ୍ଧାରିତ ୬ ହଜାରରୁ ଅଧିକ ବ୍ୟବସାୟିକ ବୈଠକ ହେବାର ଆଶା ରହିଛି। ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଓଡ଼ିଶା ଏକ ମହତ୍ତ୍ୱାକାଂକ୍ଷୀ ପର୍ଯ୍ୟଟନ ରଣନୀତି ନେଇ ଆଗକୁ ବଢ଼ୁଛି। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ପରିଚୟକୁ ମଜବୁତ କରିବା ସହ ସ୍ଥାନୀୟ ଲୋକଙ୍କ ପାଇଁ ସିଧାସଳଖ ଆର୍ଥିକ ଲାଭ ସୃଷ୍ଟି ଏହାର ଲକ୍ଷ୍ୟ। ‘ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା’ ମୂଳମନ୍ତ୍ରକୁ ନେଇ ସାହସିକ ପର୍ଯ୍ୟଟନ, ହୋମଷ୍ଟେ ଓ ଆତିଥେୟତା କ୍ଷେତ୍ରରେ ରାଜ୍ୟ ଆଗକୁ ବଢ଼ୁଥିବା ସେ କହିଛନ୍ତି।

ଉପମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, OTB କେବଳ ପର୍ଯ୍ୟଟନସ୍ଥଳୀର ପ୍ରଚାର ମଞ୍ଚ ନୁହେଁ; ଏହା ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଶିକ୍ଷା, ଦକ୍ଷତା ବିକାଶ, ନିଯୁକ୍ତି, ଉଦ୍ୟୋଗୀତା ଓ ପୁଞ୍ଜିନିବେଶର ନୂଆ ସୁଯୋଗ ସୃଷ୍ଟି କରିବ। ଏଥିସହ ଗଣମାଧ୍ୟମ ପ୍ରତିନିଧିମାନେ ଓଡ଼ିଶା ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସଡର ଭାବେ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି।OTB-୨୦୨୬ର ଅଂଶ ଭାବେ କାର୍ଯ୍ୟକ୍ରମ ପୂର୍ବରୁ ଓ ପରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେଇ ୮ଟି ପରିଚୟ ଭ୍ରମଣ (Familiarisation Tour) ଆୟୋଜନ କରାଯିବ। ଏଥିରେ ଟୁର୍ ଅପରେଟର, କ୍ରେତା, ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟମାନେ ଓଡ଼ିଶାର ବିବିଧ ପର୍ଯ୍ୟଟନ ସମ୍ପଦକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବେ। ପର୍ଯ୍ୟଟନକୁ ନେଇ ବିଶିଷ୍ଟ ଶେଫ୍ ରଣବୀର ବ୍ରାରଙ୍କ ଏକ ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ରହିବ।

ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ, ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ରଙ୍କ ସମେତ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡ଼ିଶା, ଟ୍ରାଭେଲ ଏଜେଣ୍ଟ ଆସୋସିଏସନ ଅଫ ଓଡ଼ିଶା, ଇଣ୍ଡିଆନ ଆସୋସିଏସନ ଅଫ ଟୁର୍ ଅପରେଟର୍ସ ଓଡ଼ିଶା ଶାଖା ଏବଂ ଅନ୍ୟ ପର୍ଯ୍ୟଟନ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଦେଶ ଓ ବିଦେଶର ପର୍ଯ୍ୟଟନ ପ୍ରତିନିଧିଙ୍କ ଯୋଗଦାନ ଫଳରେ OTB-୨୦୨୬ ମାଧ୍ୟମରେ ବ୍ୟବସାୟିକ ସମ୍ପର୍କ, ପର୍ଯ୍ୟଟନସ୍ଥଳୀର ପ୍ରଚାର ଓ ନୂଆ ସହଭାଗିତା ପାଇଁ ମଞ୍ଚ ସୃଷ୍ଟି ହେବ। ଏହା ସହ ପର୍ଯ୍ୟଟନ କ୍ଷେତ୍ର ମାଧ୍ୟମରେ ନିଯୁକ୍ତି, ଉଦ୍ୟୋଗୀତା ଓ ସ୍ଥାନୀୟ ଆର୍ଥିକ ବିକାଶକୁ ଆହୁରି ଆଗକୁ ନେବା ପାଇଁ ରାଜ୍ୟର ପ୍ରୟାସକୁ ମଜବୁତ କରିବା ଲକ୍ଷ୍ୟ ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial