ବିକଶିତ ଭାରତର ଓଡିଶା ହେବ ଗ୍ରୋଥ୍ ଇଞ୍ଜିନ: ରାଜ୍ୟପାଳ

ଅକ୍ଷର ବ୍ୟୁରୋ: ବଜେଟ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସଫଳତା ବଖାଣିଲେ ରାଜ୍ୟପାଳ । ରାଜ୍ୟର ବିକାଶ ଓ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ । ସେ କହିଛନ୍ତି ବିକଶିତ ଭାରତର ଓଡିଶା ହେବ ଗ୍ରୋଥ୍ ଇଞ୍ଜିନ । ଓଡିଶାର ବିକାଶ ରହିଛି ରାଜ୍ୟ ସରକାରଙ୍କ ଫୋକସ୍ । ଶିକ୍ଷା କ୍ଷେତ୍ରରେ ମଧ୍ୟ ସରକାର ବ୍ୟାପକ ଉଦ୍ୟମ କରିଛନ୍ତି । ବାଣପୁର ମାଟିରୁ ଆକାଂକ୍ଷୀ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ୟ୍ୟାୟରେ, ୨୦୨୫-୨୬ରୁ ୨୦୨୮-୨୯ ପର୍ଯ୍ୟନ୍ତ ଚାରି ବର୍ଷରେ ୨୨୦୦ଟି ବିଦ୍ୟାଳୟ ପାଇଁ ୧୨୦୦୦ କୋଟି ଟଙ୍କା ବ୍ୟୟ ହେବ । ଆଧୁନିକ ଶ୍ରେଣୀକକ୍ଷ, ଡିଜିଟାଲ ସାଧନ ଓ କ୍ରୀଡ଼ା ସୁବିଧା ମାଧ୍ୟମରେ ଶିକ୍ଷା ଢାଞ୍ଚା ଓ ଶିକ୍ଷା ପରିବେଶର ମାନ ଉନ୍ନତି ପାଇବ । ପ୍ରତ୍ୟେକ ଶିଶୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତାରେ ପାରଦର୍ଶୀ ହେବେ ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟରେ ନୂଆ ସରକାର୍ ଆସିବା ପରେ ୧୬ ଲକ୍ଷ ୪୨ ହଜାର ଲକ୍ଷପତି ଦିଦି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୬ ଲକ୍ଷ ୧୯ ହଜାର ସୃଷ୍ଟି କରିବାକୁ ଧାର୍ୟ୍ୟ କରାଯାଇଥିଲା । SHG ସଦସ୍ୟ ମାନଙ୍କୁ ବାର୍ଷିକ ଅନ୍ୟୁନ ଏକ ଲକ୍ଷ ଟଙ୍କା ରୋଜଗାର କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ରାଜ୍ୟ। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସହାୟତା କ୍ଷେତ୍ରରେ ସରକାର ଅଶେଷ ସଫଳତା ପାଇଛନ୍ତି। ସୁଭଦ୍ରାରେ ଏପର୍ଯ୍ୟନ୍ତ ଆବେଦନ କଲେଣି ୧କୋଟି ୧୨ ଲକ୍ଷରୁ ଅଧିକ ମହିଳା । 

ତିନୋଟି କିସ୍ତିରେ ଏକ କୋଟିରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ରାଶି ବାବଦରେ ୧୫ ଶହ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ସମୃଦ୍ଧ କୃଷକ ଯୋଜନାରେ ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ପାଇଁ ୬ ହଜାର କୋଟି ଟଙ୍କା ଏବଂ ସିଏମ୍ କିଶାନ ଯୋଜନାରେ ଆୟବୃଦ୍ଧି ପାଇଁ ୨୦୨୦ କୋଟି ଟଙ୍କା ବ୍ୟୟ କରାଯାଇଛି । ଫଳରେ ଚାଷୀ ପରିବାରର ମୁଣ୍ଡପିଛା ଆୟ ଯଥେଷ୍ଟ ବୃଦ୍ଧି ପାଇଛି ବୋଲି କହିଛନ୍ତି ରାଜ୍ୟପାଳ। ମେକ ଇନ ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାରଙ୍କୁ ମିଳିଛି ଅଦ୍ଭୁତ ପୂର୍ବ ସଫଳତା । ୮୫ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିସାରିଲେଣି ସରକାର । ଦୁଇ ଲକ୍ଷ କୋଟିର ନିବେଶ ସହ ଏକ ଲକ୍ଷ ୬୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ମେକ ଇନ ଓଡିଶା ୨୦୨୫ ରେ ମୋଟ ୭.୧ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସମ୍ବାବନା ସୃଷ୍ଟି ହୋଇଥିବା ବେଳେ ୪ ଲକ୍ଷ ୬୫ ହଜାର ନିଯୁକ୍ତି ସୃଷ୍ଟି ହେବ। ଏହା ସହ ୩୪୩ ଟି ବୃହତ ଶିଳ୍ପକୁ ଅନୁମୋଦିତ କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟ ମାସିକ ୧.୮୮ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ କେନ୍ଦ୍ରରୁ ପାଉଛି । ରାଜ୍ୟର ୧୧ ହଜାର ୭୨୫ଟି ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ୨.୯୧ ଲକ୍ଷ ପରିବାର ହିତାଧିକାରୀ ହୋଇଛନ୍ତି । ଏଥିସହ ୧୨.୩୬ ଲଷ ପରିବାରକୁ ଅନ୍ନଦୋୟ ଯୋଜନାରେ ବଣ୍ଟନ କରାଯାଉଛି । ଏହାବାଦ୍ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ୧.୧୫ ଲକ୍ଷ ପରିବାରକୁ ଅର୍ନ୍ତୠୁକ୍ତ କରି ୫ କେଜି ଚାଉଳ ପ୍ରଦାନ କରୁଛନ୍ତି ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି ।  

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)