ଯାଜପୁର/ପୁରୀ: ପିତୃପକ୍ଷ ଆରମ୍ଭ ହୋଇଥିବା ବେଳେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ପିଣ୍ଡଦାନ। ପ୍ରତିପଦାଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ୱତନ୍ତ୍ର ପରମ୍ପରା ରହିଛି। ଏହି ଅବସରରେ ନାଭିଗୟାରେ ପିଣ୍ଡଦାନ ପାଇଁ ଆଜି ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁ ଯାଜପୁରରେ ପହଞ୍ଚି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ନାଭିଗୟାରେ ପିଣ୍ଡଦାନ କରୁଛନ୍ତି। ଶ୍ରଦ୍ଧାଳୁଙ୍କ ସୁବିଧା ଓ ଭିଡ଼ ନିୟନ୍ତ୍ରଣକୁ ନଜରରେ ରଖି ପିଣ୍ଡଦାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ସେହିପରି ପିତୃପକ୍ଷ ଅବସରରେ ଆଜି ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଉତ୍ତରଦ୍ୱାର ପାର୍ଶ୍ୱରେ ବସିଥିବା ବ୍ରାହ୍ମଣମାନଙ୍କ ପାଖରେ ଶ୍ରଦ୍ଧାଳୁମାନେ ଶ୍ରାଦ୍ଧ ଅର୍ପଣ କରିବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି। ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ମହୋଦଧିରେ ମଧ୍ୟ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।
ପିତୃପକ୍ଷ ସମୟରେ ୧୫ ଦିନ ଧରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଏ। ମହାଳୟା ଅମାବାସ୍ୟାରେ ପିତୃପକ୍ଷର ସମାପ୍ତି ହୋଇଥାଏ। ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ସମୟରେ ପିତୃପୁରୁଷମାନେ ନିଜ ବଂଶଧରଙ୍କ ଦ୍ୱାରା କରାଯାଉଥିବା ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନକୁ ଅପେକ୍ଷା କରିଥାନ୍ତି। ବଂଶଧରଙ୍କ ଦ୍ୱାରା ଅର୍ପଣ କରାଯାଉଥିବା ଏହି ଧାର୍ମିକ କର୍ମକାଣ୍ଡରେ ପିତୃପୁରୁଷମାନେ ସନ୍ତୁଷ୍ଟ ହୁଅନ୍ତି ବୋଲି ପରମ୍ପରା ରହିଛି। ପିତୃପକ୍ଷ ସମୟରେ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ ସହ ବିଭିନ୍ନ ନିୟମ ଓ ନିଷ୍ଠା ପାଳନ କରାଯାଏ। ଏହି ଧାର୍ମିକ ପରମ୍ପରାକୁ ପାଳନ କରିବା ପାଇଁ ଯାଜପୁରର ନାଭିଗୟା ଓ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥସ୍ଥଳରେ ଆଗାମୀ ଦିନଗୁଡ଼ିକରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଜାରି ରହିବ।














Leave a Reply