୧୭ ରାଜ୍ୟରେ ‘ଅପରେସନ୍‌ ଅନ୍ବେଷଣ’, ଉଦ୍ଧାର ହେଲେ ୧୦୧ ଓଡ଼ିଆ ଶିଶୁ

ଭୁବନେଶ୍ୱର: ଓଡ଼ିଶାରୁ ନିଖୋଜ ଶିଶୁଙ୍କୁ ଉଦ୍ଧାର କରି ଘରକୁ ଫେରାଇ ଆଣିବା ପାଇଁ ଚାଲିଥିବା ‘ଅପରେସନ୍‌ ଅନ୍ବେଷଣ’କୁ ମିଳିଛି ବଡ଼ ସଫଳତା। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ମଧ୍ୟରେ ୧୭ଟି ରାଜ୍ୟରେ ଚାଲିଥିବା ଏହି ସ୍ୱତନ୍ତ୍ର ଅଭିଯାନରେ ମୋଟ ୧୦୧ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଶିଶୁଙ୍କ ମଧ୍ୟରେ ୫୪ ଜଣ ବାଳକ ଓ ୪୭ ଜଣ ବାଳିକା ରହିଛନ୍ତି। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (CAW) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ସହଯୋଗରେ ଏହି ଅଭିଯାନ ପରିଚାଳିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ CAWର ଏଡିଜି ଏସ୍‌. ସାଇନି ସୂଚନା ଦେଇଛନ୍ତି। ନିଖୋଜ ଶିଶୁଙ୍କୁ ଠାବ କରିବା ପାଇଁ ଡିଏସ୍‌ପି ପାହ୍ୟାର ଅଧିକାରୀ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଲିଗାଲ୍‌ କମ୍‌ ପ୍ରୋବେସନ୍‌ ଅଫିସରଙ୍କୁ ନେଇ ମୋଟ ୧୭ଟି ଟିମ୍‌ ଗଠନ କରାଯାଇଥିଲା।

ଏହି ଟିମ୍‌ଗୁଡ଼ିକ ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ବିହାର, ଝାଡ଼ଖଣ୍ଡ, ହରିୟାଣା, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, ନୂଆଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ ଓ କେରଳରେ ଅଭିଯାନ ଚଳାଇଥିଲେ। ଶିଶୁ ଚାଲାଣ ମାମଲାରେ ନିଖୋଜ ଥିବା ଶିଶୁ, ବାହାର ରାଜ୍ୟରେ ଶିଶୁଶ୍ରମିକ ଭାବେ କାମ କରୁଥିବା ଶିଶୁ ଏବଂ ବିଭିନ୍ନ ଚାଇଲ୍ଡ କେୟାର୍‌ ଇନ୍‌ଷ୍ଟିଚ୍ୟୁସନ୍‌ (CCI)ରେ ରହୁଥିବା ଓଡ଼ିଆ ଶିଶୁଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା। ପରେ ସ୍ଥାନୀୟ ପୁଲିସର ସହଯୋଗରେ ଚଢ଼ଉ କରାଯାଇ ଶିଶୁମାନଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଅଭିଯାନରେ ପଶ୍ଚିମବଙ୍ଗରୁ ସର୍ବାଧିକ ୩୦ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି। ସେହିପରି କର୍ଣ୍ଣାଟକରୁ ୧୧ ଜଣ, ଝାଡ଼ଖଣ୍ଡରୁ ୧୦ ଜଣ ଏବଂ ତାମିଲନାଡ଼ୁରୁ ୧୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।

ତେବେ ଆନ୍ଧ୍ରପ୍ରଦେଶରେ ଆହୁରି ୧୦୦ରୁ ଅଧିକ ଶିଶୁଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ଆଗାମୀ ପଦକ୍ଷେପ ନିଆଯାଉଥିବା ଏଡିଜି ଏସ୍‌. ସାଇନି କହିଛନ୍ତି। ଅଭିଯାନ ସମୟରେ ବାହାର ରାଜ୍ୟରୁ ଜଣେ ନାବାଳିକା ମା’ ଓ ତାଙ୍କ ୩ ମାସର ଶିଶୁଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ଏହାସହ ଏକ ଚାଇଲ୍ଡ କେୟାର୍‌ ହୋମ୍‌ରେ ରହୁଥିବା ପ୍ରାୟ ୧ ବର୍ଷର ଶିଶୁକୁ ତା’ର ମା’ଙ୍କ ପାଖକୁ ଫେରାଇ ଆଣିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ନିଖୋଜ ଓ ଅସୁରକ୍ଷିତ ପରିସ୍ଥିତିରେ ଥିବା ଶିଶୁଙ୍କୁ ଠାବ କରି ସେମାନଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବା ଦିଗରେ ‘ଅପରେସନ୍‌ ଅନ୍ବେଷଣ’ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial