ପାରାଦୀପ ବନ୍ଦରରେ ଏମ୍‌ଟି ୟୁନିଟି ଜାହାଜ ଆରେଷ୍ଟ ନିର୍ଦ୍ଦେଶ, ୪୨.୮୩ ଲକ୍ଷ ଟଙ୍କାର ବ୍ୟାବସାୟିକ ବିବାଦ

ଅକ୍ଷର ବ୍ୟୁରୋ: ପାରାଦୀପ ବନ୍ଦରରେ ଏମ୍‌ଟି ୟୁନିଟି (IMO 9388792) ଜାହାଜକୁ ଆରେଷ୍ଟ କରିବାକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ। ବ୍ୟାବସାୟିକ ବିବାଦକୁ ନେଇ ଇଣ୍ଟରଓସିନ ସିପିଙ୍ଗ୍‌ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ଦାୟର ସାମୁଦ୍ରିକ ବିବାଦ ସମ୍ପର୍କିତ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଚୂଡ଼ାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ଜାହାଜଟି ପାରାଦୀପ ବନ୍ଦର ଛାଡ଼ି ଅନ୍ୟତ୍ର ଯାଇପାରିବ ନାହିଁ।

ଏହି ମୂଳ ସାମୁଦ୍ରିକ ବିବାଦ ମାମଲାରେ ଏମ୍‌ଟି ୟୁନିଟି (IMO 9388792) ଏବଂ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ଏଥିସହ ଜାହାଜ ସମ୍ପର୍କିତ ଦେୟ ବାବଦ ଅର୍ଥକୁ ଆବେଦନକାରୀ ସଂସ୍ଥାର ଜମାରାଶିରୁ ନ କାଟିବାକୁ ପାରାଦୀପ ବନ୍ଦର ଟ୍ରଷ୍ଟକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ମୂଳ ଆବେଦନ ସହ ଦୁଇଟି ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୨ ତାରିଖରେ ହେବ।

ମାମଲାର ବିବରଣୀ ଅନୁସାରେ, ୪୨ ଲକ୍ଷ ୮୩ ହଜାର ୨୭୧ ଟଙ୍କା ଦାବି କରି ଇଣ୍ଟରଓସିନ ସିପିଙ୍ଗ୍‌ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ଜାହାଜ ବିରୋଧରେ ଏହି ମାମଲା ଦାୟର କରାଯାଇଛି। ମୂଳ ସାମୁଦ୍ରିକ ବିବାଦ ମାମଲା ବିଚାରାଧୀନ ଥିବାବେଳେ ଜାହାଜଟିକୁ ଆରେଷ୍ଟ କରିବାକୁ ଆବେଦନକାରୀ ପକ୍ଷରୁ ଅନ୍ତରୀଣ ଆବେଦନ କରାଯାଇଥିଲା।ଆବେଦନକାରୀ ପକ୍ଷ ଯୁକ୍ତି ଦର୍ଶାଇଥିଲେ ଯେ, ଜାହାଜଟି ଖୁବ୍‌ଶୀଘ୍ର ପାରାଦୀପ ବନ୍ଦର ଛାଡ଼ି ଅନ୍ୟତ୍ର ଚାଲିଯାଇପାରେ। ଯଦି ଜାହାଜଟି ବନ୍ଦର ଛାଡ଼ି ଚାଲିଯାଏ, ତେବେ ମାମଲାର ଗୁରୁତ୍ୱ ଓ ପ୍ରାସଙ୍ଗିକତା ନଷ୍ଟ ହୋଇଯିବ ବୋଲି ଦର୍ଶାଯାଇଥିଲା। ଏହି ଯୁକ୍ତିକୁ ବିଚାର କରି ହାଇକୋର୍ଟ ପାରାଦୀପ ବନ୍ଦରରେ ଏମ୍‌ଟି ୟୁନିଟି ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial