ଗାଡ଼ି ଯାଞ୍ଚ ବେଳେ ୩ କିଲୋରୁ ଅଧିକ ସନ୍ଦିଗ୍ଧ ହାତୀଦାନ୍ତ ଜବତ, ଜଣେ ଗିରଫ

ଅନୁଗୋଳ: ଗାଡ଼ି ଯାଞ୍ଚ ବେଳେ ଛେଣ୍ଡିପଦା ପୁଲିସକୁ ବଡ଼ ସଫଳତା । ଜଣେ ବ୍ୟକ୍ତିଙ୍କ ନିକଟରୁ ପ୍ରାୟ ୩ କିଲୋ ୧୮ ଗ୍ରାମ ଓଜନର ସନ୍ଦିଗ୍ଧ ହାତୀଦାନ୍ତ ଜବତ କରିଛି ପୁଲିସ । ଘଟଣାରେ ବାଗେଡ଼ିଆ ଅଞ୍ଚଳର ସୁକାନ୍ତ ପ୍ରଧାନ ଓରଫ ରଞ୍ଜନଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି । ଏହାସହ ତାଙ୍କ ବାଇକ୍‌କୁ ମଧ୍ୟ ଜବତ କରିଛି ପୁଲିସ ।

ଗୁରୁବାର ରାତିରେ ଛେଣ୍ଡିପଦା ଥାନା ପୁଲିସ ବାଗାଡ଼ିଆ ଛକ ନିକଟରେ ଗାଡ଼ି ଯାଞ୍ଚ କରୁଥିଲା । ଏହି ସମୟରେ ବାଇକ୍‌ରେ ଯାଉଥିବା ସୁକାନ୍ତ ପ୍ରଧାନଙ୍କୁ ଅଟକାଇ ପୁଲିସ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ତାଙ୍କ ନିକଟରୁ ପ୍ରାୟ ୩ କିଲୋ ୧୮ ଗ୍ରାମ ଓଜନର ଏକ ସନ୍ଦିଗ୍ଧ ହାତୀଦାନ୍ତ ମିଳିଥିଲା । ସନ୍ଦିଗ୍ଧ ବନ୍ୟଜନ୍ତୁ ସାମଗ୍ରୀ ରଖିବା କିମ୍ବା ପରିବହନ ସମ୍ପର୍କରେ ସୁକାନ୍ତ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ । ଏହାପରେ ପୁଲିସ ହାତୀଦାନ୍ତକୁ ଜବତ କରିବା ସହ ବାଇକ୍‌କୁ ମଧ୍ୟ ଜବତ କରିଛି । ଘଟଣା ସମ୍ପର୍କରେ ବନ ବିଭାଗକୁ ଅବଗତ କରାଯାଇଛି । ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁସାରେ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଜବତ ସାମଗ୍ରୀ ପ୍ରକୃତରେ ହାତୀଦାନ୍ତ କି ନୁହେଁ, ତାହା ଯାଞ୍ଚ ପରେ ସ୍ପଷ୍ଟ ହେବ । ତେବେ ଏହି ଘଟଣା ପରେ ଅଞ୍ଚଳରେ ବନ୍ୟଜନ୍ତୁ ସାମଗ୍ରୀର ଅବୈଧ ଚାଲାଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ହାତୀଦାନ୍ତ ଚାଲାଣ ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଏହା କେଉଁଠାକୁ ଯାଉଥିଲା, ସେନେଇ ପୁଲିସ ଓ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial