ଯାଜପୁର ଜିଲ୍ଲାରେ ଦହିବରା ଖାଇ ୫୦ରୁ ଉର୍ଦ୍ଧ୍ୱ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଜଣଙ୍କର ମୃତ୍ୟୁ ଘଟିଛି ।

ଅକ୍ଷର ବ୍ୟୁରୋ: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ରେ ଦହିବରା ଖାଇ ୫୦ରୁ ଉର୍ଦ୍ଧ୍ୱ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ । ୭ଟି ଗ୍ରାମରୁ ଶହେରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସେଭିତରେ ୪୨ ଶିଶୁ ଥିବା ବେଳେ ୫୦ ଜଣ ବଡ଼ ଲୋକ ଅସୁସ୍ଥ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ମୃତ ବୃଦ୍ଧା ପାଟପୁର ଗ୍ରାମ ନିଆରୀ ସାହିର ସୁନ୍ଦରୀ ବେୱା(୭୨) । ୧୫ଜଣ ମହିଳା ଓ ୫ଜଣ ଶିଶୁ ଜିଲ୍ଲା ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ଦଶରଥପୁର ଓ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ଦହିବରା ବେପାରୀକୁ ଦଶରଥପୁର ପୁଲିସ ଅଟକ ରଖିଛି ।

ଦଶରଥପୁର ପଞ୍ଚାୟତ ତୁଳାଟିଆ ସାହିର ଦହିବରା ବ୍ୟବସାୟୀ ଗୁରୁଡ଼ା ସାହୁ । ଶୁକ୍ରବାର ସକାଳେ ଜୟନ୍ତରା ପଞ୍ଚାୟତର ପାଟପୁର, ଜୁନିନ୍ଦା, ବନ୍ଧସାହି, କଟିକଟା, ଚମ୍ପେଇପାଳ, କଳିଙ୍ଗପୁର ଗ୍ରାମରେ ବୁଲି ଦହିବରା ଆଳୁଦମ ବିକ୍ରି କରିଥିଲେ । ସନ୍ଧ୍ୟାରେ ଏହି ସବୁ ଗ୍ରାମରେ ଝାଡ଼ାବାନ୍ତି ଆରମ୍ଭ ହୋଇଯାଇଥିଲା । ରାତିପାହିଲା ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା । ସୁନ୍ଦରୀ ବେୱା ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସାମାନ୍ୟ ସୁସ୍ଥ ହେବାରୁ ସେ ଡାକ୍ତରଖାନାରୁ ଔଷଧ ଧରି ଘରକୁ ଚାଲି ଆସିଥିଲେ । ଘରେ ଅପରାହ୍ଣ ପ୍ରାୟ ୨ଟାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଦହିବରା ଖାଇ ଅସୁସ୍ଥ ଥିବା ରୋଗୀଙ୍କୁ ଭେଟିବା ସହିତ କର୍ତୁପକ୍ଷଙ୍କ ସହ ଆଲୋଚନା କରିଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)