ବାଲେଶ୍ୱରରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରେ ଆତଙ୍କ! ବୁଲେଟରେ ଆସି କର୍ମଚାରୀଙ୍କୁ ଧମକ, ସିସିଟିଭିରେ କଏଦ୍ ଘଟଣା

ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନ ଦରଡା ପେଟ୍ରୋଲ ପମ୍ପରେ ଦୁଇ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ବୁଲେଟ୍‌ ମୋଟରସାଇକେଲରେ ଆସିଥିବା ଦୁଇ ଯୁବକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଅଭିଯୋଗ ହୋଇଛି। ଏହି ସମଗ୍ର ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବାବେଳେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୧୧ଟା ୨୨ ମିନିଟ୍ ସମୟରେ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଜଣେ କର୍ମଚାରୀ ପ୍ରଥମେ ଜଣେ ଗ୍ରାହକଙ୍କୁ ପେଟ୍ରୋଲ ଦେଉଥିଲେ। ଏହି ସମୟରେ ହଠାତ୍ ବୁଲେଟରେ ଦୁଇ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। ପରେ ସେମାନେ କର୍ମଚାରୀଙ୍କ ନିକଟକୁ ଯାଇ ବନ୍ଧୁକ ଦେଖାଇ ଧମକ ଦେବା ସହ ଭୟଭୀତ କରିଥିଲେ। ହଠାତ୍ ଏଭଳି ଘଟଣା ଘଟିବାରୁ କର୍ମଚାରୀ ଆତଙ୍କିତ ହୋଇପଡ଼ିଥିଲେ।

ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବାବେଳେ, ଏହାକୁ ଆଧାର କରି ପୁଲିସ ଦୁର୍ବୃତ୍ତଙ୍କ ପରିଚୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ବୃତ୍ତମାନେ କେବଳ ଭୟଭୀତ କରି ଚାଲିଯାଇଥିଲେ ନା କି ଲୁଟ୍‌ ଉଦ୍ୟମ କରିଥିଲେ, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ରାତି ଅଧରେ ଜନଗହଳିପୂର୍ଣ୍ଣ ପେଟ୍ରୋଲ ପମ୍ପରେ ଖୋଲାଖୋଲି ବନ୍ଧୁକ ଦେଖାଇ ଦୁର୍ବୃତ୍ତଙ୍କ ଏଭଳି ଦବଙ୍ଗଗିରି ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ପୁଲିସ ସିସିଟିଭି ଫୁଟେଜ୍‌କୁ ଆଧାର କରି ଅଭିଯୁକ୍ତଙ୍କ ସନ୍ଧାନରେ ଚଢ଼ାଉ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial