କେନ୍ଦୁଝରରେ ପୁଲିସ ଏନକାଉଣ୍ଟର: ଗୁଳିବିଦ୍ଧ ହେଲା କୁଖ୍ୟାତ ଅପରାଧୀ ଏମଡି ନାସିଫ, ୩୦ରୁ ଅଧିକ ଚୋରି ମାମଲାରେ ଥିଲା ସମ୍ପୃକ୍ତ

ଅକ୍ଷର ବ୍ୟୁରୋ: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଅଞ୍ଚଳର ପତଳା ଜଙ୍ଗଲରେ ପୁଲିସ ଓ ଜଣେ କୁଖ୍ୟାତ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ପୁଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ଏମଡି ନାସିଫ ନାମକ ଅପରାଧୀ ଗୁଳିବିଦ୍ଧ ହୋଇଛି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ଲାଗିଥିବାରୁ ସେ ଗୁରୁତର ଆହତ ହୋଇଥିବାବେଳେ ତୁରନ୍ତ ତାଙ୍କୁ କେନ୍ଦୁଝର ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ଚମ୍ପୁଆ ଜଙ୍ଗଲ ଅଞ୍ଚଳରେ ଚେକିଂ ଓ ଧରପକଡ଼ ଅଭିଯାନ ସମୟରେ ଏମଡି ନାସିଫ ପୁଲିସ ଟିମ୍‌କୁ ଦେଖି ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିଲା। ଗୁଳି ଚଳାଇ ସେ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା। ପରିସ୍ଥିତିକୁ ଦେଖି ପୁଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳିଚାଳନା କରିଥିଲା, ଯେଉଁଥିରେ ନାସିଫ ଗୁଳିବିଦ୍ଧ ହୋଇଥିଲା। ପ୍ରାଥମିକ ତଥ୍ୟ ଅନୁସାରେ, ଏମଡି ନାସିଫ ବିରୋଧରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଏକାଧିକ ଅପରାଧିକ ମାମଲା ରହିଛି। ବିଶେଷକରି ତାଙ୍କ ନାମରେ ୩୦ରୁ ଅଧିକ ଚୋରି ମାମଲା ରହିଥିବା ସୂଚନା ପୁଲିସ ପକ୍ଷରୁ ମିଳିଛି। ଦୀର୍ଘଦିନ ଧରି ସେ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଥିଲେ।

ଘଟଣା ପରେ ପୁଲିସ ସମଗ୍ର ଅଞ୍ଚଳକୁ ସିଲ୍ କରି ତଦନ୍ତ ଜାରି ରଖିଛି। ଏନକାଉଣ୍ଟର ସ୍ଥଳରୁ ଅଧିକ ପ୍ରମାଣ ସଂଗ୍ରହ କରାଯାଉଥିବାବେଳେ ନାସିଫଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି କି ନାହିଁ, ସେନେଇ ପୁଲିସ ଯାଞ୍ଚ କରୁଛି। ସେହିପରି ଅଞ୍ଚଳରେ କୌଣସି ଅନ୍ୟ ଅପରାଧୀ ଲୁଚି ରହିଥିବା ସନ୍ଦେହରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ କମ୍ବିଂ ଅପରେସନ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)