ଅକ୍ଷର ବ୍ୟୁରୋ: ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସରକାରୀ ବାସ ଭବନରେ କେସିଙ୍ଗା ପୋଲିସର ଚଢାଉ । ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓରଫ ମୁନା ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ଫୋନରେ ହତ୍ୟା ଧମକ ଦେବା ଅଭିଯୋଗରେ ଚଢ଼ାଉ କରିଛି ପୁଲିସ । ଗତ ଫେବୃଆରୀ ୧୫ତାରିଖରେ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ ତହସିଲଦାର । ଆଜି ସକାଳୁ କେସିଙ୍ଗା ପୁଲିସର ଏକ ଟିମ୍ ମନୋରମାଙ୍କ ସରକାରୀ ବାସ ଭବନରେ ଚଢ଼ାଉ କରିଥିଲେ ହେଁ ବିଧାୟିକା କିମ୍ବା ତାଙ୍କ ସ୍ୱାମୀଙ୍କୁ ପାଇନଥିଲେ ।
ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡି ଯୁବ ସଭାପତି ଚିନ୍ମୟ ସାହୁ, ଛାତ୍ର ସଭାପତି ଇପ୍ସିତା ସାହୁ, ମନ୍ମଥ ରାଉତରାୟଙ୍କ ସମେତ ଅନ୍ୟ ବିଜେଡି ନେତା ଉପସ୍ଥିତ ରହି ଏ ଘଟଣାକୁ ବିରୋଧ କରିଛନ୍ତି । କାହିଁକି କେସିଙ୍ଗା ପୁଲିସ ବିନା ୱାରେଣ୍ଟରେ ବିଧାୟିକାଙ୍କ ଘରେ ଚଢ଼ାଉ କଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟସଭା ନିର୍ବାଚନରେ ବିଧାୟିକା ମନୋରମା ମହାନ୍ତିଙ୍କୁ ବିଜେପିକୁ ଭୋଟ୍ ଦେବା ପାଇଁ ଚାପ ପ୍ରୟୋଗ କରାଯାଉଥିଲା । ସେ ଭୋଟ୍ ନ ଦେବାରୁ ଉଦେଶ୍ୟମୂଳକ ଭାବେ ସ୍ୱାମୀଙ୍କ ନାଁରେ ମିଛ ମାମଲା ରୁଜୁ କରାଯାଇ ମାନସିକ ନିର୍ୟାତନା ଦିଆଯାଉଥିବା ଅଭିଯୋଗ କରିଛି ବିଜେଡି । ବିଧାୟିକାଙ୍କ ରୋଷେୟା ପୋଷାକ ବଦଳାଉଥିବାବେଳେ ଘରେ ପୁଲିସ ପଶିଥିବା ଅଭିଯୋଗ ଆଣିଛନ୍ତି ।












Leave a Reply