ପୁରୀ: ନେପାଳରେ ବନ୍ୟା ବିପର୍ଯ୍ୟୟକୁ ନେଇ ସମଗ୍ର ବିଶ୍ୱ ବ୍ୟଥିତ । ବନ୍ୟାରେ ପ୍ରଭାବିତ ଲୋକଙ୍କ ପ୍ରତି ସମବେଦନା ଓ ଏକତାର ବାର୍ତ୍ତା ଦେଇ ପୁରୀ ବେଳାଭୂମିରେ ସ୍ୱତନ୍ତ୍ର ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳାରେ ସେ ଦେଇଛନ୍ତି ‘ପ୍ରେୟର୍ସ ଫର୍ ନେପାଳ’ର ବାର୍ତ୍ତା । ପ୍ରାୟ ୨୦ ଫୁଟ୍ ଚଉଡ଼ା ଓ ୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ବିଶେଷ ବାଲୁକା କଳା ମାଧ୍ୟମରେ ନେପାଳର ବନ୍ୟା ବିପନ୍ନଙ୍କ ପ୍ରତି ନିଜର ସମବେଦନା ଜଣାଇଛନ୍ତି ସୁଦର୍ଶନ । ଏହି କଳାକୃତିରେ ଦୟା, ଆଶା ଓ ମାନବିକତାର ବାର୍ତ୍ତା ଦିଆଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ଭଳି କଠିନ ସମୟରେ ସମସ୍ତେ ଏକାଠି ହୋଇ ପ୍ରଭାବିତ ଲୋକଙ୍କୁ ସମର୍ଥନ ଯୋଗାଇବା ଆବଶ୍ୟକ ବୋଲି ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ତାଙ୍କ ଏହି ପ୍ରୟାସ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ନେପାଳବାସୀଙ୍କ ପ୍ରତି ଭାରତୀୟଙ୍କ ସମବେଦନା ଓ ମାନବିକତାର ପ୍ରତୀକ ପାଲଟିଛି ।
ଏହି ବାଲୁକା କଳା ନିର୍ମାଣରେ ସୁଦର୍ଶନ ସାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀମାନେ ମଧ୍ୟ ସହଯୋଗ କରିଥିଲେ । ସମୂହ ପ୍ରୟାସରେ ପୁରୀ ବେଳାଭୂମିରେ ତିଆରି ହୋଇଥିବା ଏହି କଳାକୃତି ନେପାଳର ବନ୍ୟା ବିପନ୍ନଙ୍କ ପାଇଁ ଏକ ଭାବପୂର୍ଣ୍ଣ ସନ୍ଦେଶ ବହନ କରୁଛି । ଏହି ଅବସରରେ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, କଷ୍ଟକର ସମୟରେ ମାନବିକତା ସବୁବେଳେ ଏକାଠି ଠିଆ ହେବା ଦରକାର । ବାଲୁକା କଳା ମାଧ୍ୟମରେ ସେ ଏକତାର ବାର୍ତ୍ତା ଦେବାକୁ ଚାହୁଁଥିବା କହିଛନ୍ତି । ନେପାଳର ବିପନ୍ନ ଲୋକଙ୍କ ପାଇଁ ପୁରୀ ବେଳାଭୂମିରୁ ଉଠିଥିବା ଏହି ମାନବିକତାର ସ୍ୱର ଏବେ ସମବେଦନା ଓ ସହଯୋଗର ବାର୍ତ୍ତା ଦେଉଛି ।












Leave a Reply