ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି

ଅକ୍ଷର ବ୍ୟୁରୋ: ମୟୂରଭଞ୍ଜ ଇତିହାସରେ ଯୋଡ଼ିବାକୁ ଯାଉଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିବା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଇରଙ୍ଗପୁରରେ ପହଞ୍ଚିଛନ୍ତି। ପ୍ରତିକୂଳ ପାଗ ଯୋଗୁ ଆକାଶ ପଥରେ ନ ଆସି ସଡ଼କ ପଥରେ ତାଙ୍କର ଆଗମନ ହୋଇଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜ ଗସ୍ତରେ ଆସୁଥିବା ବେଳେ ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏକାସାଙ୍ଗରେ ମୟୂରଭଞ୍ଜ ମାଟିରେ ପାଦ ଦେବେ।

ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ତାଙ୍କର ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ମୋଦୀ ୨୦ ତାରିଖରେ ରାଷ୍ଟ୍ରପତିଙ୍କ ଜନ୍ମଭୂମି ପାହାଡ଼ପୁରକୁ ଆସୁଛନ୍ତି। ଏହି ଐତିହାସିକ ଗସ୍ତକୁ ନେଇ ପାହାଡ଼ପୁର ସମେତ ସମଗ୍ର ଅଞ୍ଚଳ ଉତ୍ସାହ ଓ ଉଦ୍ଦୀପନାରେ ଭରିଯାଇଛି। ଗାଁର ରାସ୍ତାଘାଟ, ଘରଦ୍ୱାର ଓ ସର୍ବସାଧାରଣ ସ୍ଥାନଗୁଡ଼ିକୁ ନୂଆ ରୂପରେ ସଜାଯାଇଛି।

୨୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଗାଁର ଆଦିବାସୀ ସମାଜର ସାମାଜିକ ଓ ଧାର୍ମିକ ଆସ୍ଥାର କେନ୍ଦ୍ର ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କରିବେ। ପରେ ସେମାନେ ସାନ୍ତାଳୀ ଜାହିରା ପୀଠ ଓ ହୋ-ମୁଣ୍ଡା ଜାହିରା ପୀଠ ପରିଦର୍ଶନ କରି ଆଦିବାସୀ ପରମ୍ପରା ଓ ସଂସ୍କୃତି ପ୍ରତି ସମ୍ମାନ ଜଣାଇବେ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଦିନ ୧୧ଟା ୨୫ ମିନିଟରେ ଦୁହେଁ ନିକଟସ୍ଥ ଦକ୍ଷତା ବିକାଶ କେନ୍ଦ୍ରକୁ ଯାଇ ପ୍ରଶିକ୍ଷଣ ପାଇ ଚାକିରି ହାସଲ କରିଥିବା ଯୁବକ-ଯୁବତୀଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଦକ୍ଷତା ବିକାଶ ଓ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦିଆଯିବାର ସମ୍ଭାବନା ରହିଛି।

ଗସ୍ତର ସବୁଠୁ ଭାବପ୍ରବଣ ଅଧ୍ୟାୟ ହେବ ପାହାଡ଼ପୁରସ୍ଥିତ ଏସ୍‌ଏଲ୍‌ଏସ୍‌ ମେମୋରିଆଲ୍‌ ସ୍କୁଲ ପରିଦର୍ଶନ। ରାଷ୍ଟ୍ରପତି ତାଙ୍କ ସ୍ୱର୍ଗତ ସ୍ୱାମୀ ଓ ଦୁଇ ପୁତ୍ରଙ୍କ ସ୍ମୃତିରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନରେ ପହଞ୍ଚି ସେମାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହା ସହିତ ସ୍କୁଲର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସହ ଭାବବିନିମୟ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଏହି ମିଳିତ ଗସ୍ତକୁ ନେଇ ପାହାଡ଼ପୁରରେ ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳୁଛି। ଗାଁବାସୀଙ୍କ ପାଇଁ ଏହା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଗର୍ବ ଓ ଗୌରବର ଏକ ଐତିହାସିକ ମୁହୂର୍ତ୍ତ। ରାଷ୍ଟ୍ରପତିଙ୍କ ଜନ୍ମଭୂମିରେ ଦେଶର ଦୁଇ ସର୍ବୋଚ୍ଚ ସାମ୍ବିଧାନିକ ନେତୃତ୍ୱଙ୍କ ଉପସ୍ଥିତିକୁ ନେଇ ସମଗ୍ର ମୟୂରଭଞ୍ଜ ଏବେ ଉତ୍ସବମୁଖର ହୋଇଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)