ଅକ୍ଷର ବ୍ୟୁରୋ: ଓଡ଼ିଶାରେ ପୁଣି ବଦଳିବ ପାଣିପାଗ। ପ୍ରବଳ ଗରମ ଓ ଗୁଳୁଗୁଳି ପରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାକୁ ଯାଉଛି। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଏହା ପରବର୍ତ୍ତୀ ସମୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ବଢ଼ିପାରେ। ସମୁଦ୍ରରୁ ରାଜ୍ୟ ଆଡ଼କୁ ପ୍ରଚୁର ଜଳୀୟବାଷ୍ପ ଆସୁଥିବାରୁ ବର୍ଷା ପାଇଁ ପାଣିପାଗ ଅନୁକୂଳ ହେଉଛି। ପାଣିପାଗ ମଡେଲ୍ର ଆକଳନ ଅନୁସାରେ, ଆଜି ନହେଲେ କାଲି ମଧ୍ୟରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଲଘୁଚାପ କ୍ଷେତ୍ରଟି ଧୀରେ ଧୀରେ ପଶ୍ଚିମରୁ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଦେଇ ଛତିଶଗଡ଼ ଏବଂ ମଧ୍ୟ ଭାରତ ଆଡ଼କୁ ଯାଇପାରେ।
ଲଘୁଚାପର ପ୍ରଭାବରେ ପ୍ରଥମେ ଉତ୍ତର ଓ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବ। ପରେ ଲଘୁଚାପ ନିକଟତର ହେବା ସହ ଉପକୂଳ ଏବଂ ମଧ୍ୟ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ। ଏହାପରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାକୁ ମଧ୍ୟ ଲଘୁଚାପର ପ୍ରଭାବ ପହଞ୍ଚିପାରେ। ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ୧୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। କେବଳ ଏତିକି ନୁହେଁ, ସେପ୍ଟେମ୍ବର ୧୭ରୁ ୨୦ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେଣୁ ଆଗକୁ ଓଡ଼ିଶାରେ ବର୍ଷାର ପ୍ରଭାବ ଜାରି ରହିବା ସମ୍ଭାବନା ରହିଛି।














Leave a Reply