ଅକ୍ଷର ବ୍ୟୁରୋ: ଅନୁଗୋଳରେ ୭ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାରେ ଆସିଛି କଡ଼ା ରାୟ। ୨୨ ବର୍ଷୀୟ ଅଭିଯୁକ୍ତ ସତ୍ୟବ୍ରତ ମିଶ୍ର ଓରଫ୍ କାଳିଆକୁ ଆଜୀବନ ସଶ୍ରମ କାରାଦଣ୍ଡ ଦେଇଛନ୍ତି ଅନୁଗୋଳ ପୋକ୍ସୋ ତଥା ଫାଷ୍ଟ ଟ୍ରାକ୍ କୋର୍ଟ। ଏଥିସହ ତାଙ୍କୁ ୩୦ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି।
ଘଟଣା ଅନୁଯାୟୀ, ୨୦୨୫ ମେ’ ୧୯ ତାରିଖରେ ଅଭିଯୁକ୍ତ ଜଣକ ଜଣେ ୭ ବର୍ଷର ନାବାଳିକାକୁ ଏକ ନିଛାଟିଆ ପଡ଼ିଆକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା। ପରେ ନାବାଳିକା ଘରେ ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ପକ୍ଷରୁ ଅନୁଗୋଳ ଥାନାରେ ଅଭିଯୋଗ କରାଯାଇଥିଲା। ମାମଲାର ଶୁଣାଣି ସମୟରେ କୋର୍ଟ ୧୩ ଜଣ ସାକ୍ଷୀଙ୍କ ବୟାନ ଏବଂ ୩୮ଟି ଦସ୍ତାବିଜ ଆଧାରରେ ଅଭିଯୁକ୍ତ ସତ୍ୟବ୍ରତ ମିଶ୍ର ଓରଫ୍ କାଳିଆକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ କୋର୍ଟ ତାଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଅପରପକ୍ଷରେ, ପୀଡ଼ିତା ନାବାଳିକାଙ୍କୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ରାୟକୁ ନାବାଳିକାଙ୍କ ପ୍ରତି ଅପରାଧ ବିରୋଧରେ କଡ଼ା ଆଇନଗତ ପଦକ୍ଷେପର ଏକ ଦୃଢ଼ ବାର୍ତ୍ତା ଭାବେ ଦେଖାଯାଉଛି।












Leave a Reply