ଅକ୍ଷର ବ୍ୟୁରୋ: ବାଲେଶ୍ୱର ସୋରରେ ସିରିଜ୍ ଦୁର୍ଘଟଣାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଗଞ୍ଜାମ ବଡ଼ଘାଟିରେ ଘଟିଛି ଆଉ ଏକ ଭୟଙ୍କର ସଡ଼କ ଦୁର୍ଘଟଣା। କାଜୁ ଚୋପା ବୋଝେଇ ଏକ ଟ୍ରକ୍ ରାସ୍ତାରୁ ପ୍ରାୟ ୩୦ ଫୁଟ୍ ତଳକୁ ଖସି ଓଲଟି ପଡ଼ିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଟ୍ରକ୍ଟି ଗୋପାଳପୁରରୁ କାଜୁ ଚୋପା ବୋଝେଇ କରି ଦିଲ୍ଲୀ ଅଭିମୁଖେ ଯାଉଥିଲା। ତେବେ ବଡ଼ଘାଟି ନିକଟରେ ହଠାତ୍ ଟ୍ରକ୍ଟି ଭାରସାମ୍ୟ ହରାଇଥିଲା। ଫଳରେ ରାସ୍ତା କଡ଼ରୁ ପ୍ରାୟ ୩୦ ଫୁଟ୍ ତଳକୁ ଖସି ଟ୍ରକ୍ଟି ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଭିତରେ ଆହତ ଅବସ୍ଥାରେ ଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ପରେ ଆହତ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି। ତେବେ କେଉଁ କାରଣରୁ ଟ୍ରକ୍ଟି ଭାରସାମ୍ୟ ହରାଇଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।












Leave a Reply