ଅକ୍ଷର ବ୍ୟୁରୋ: ମଦ୍ୟପାନ କରି ବେପରୁଆ ଗାଡ଼ି ଚଳାଇବାର ପରିଣାମ କେତେ ଭୟଙ୍କର ହୋଇପାରେ, ତାହାର ଜ୍ୱଳନ୍ତ ଉଦାହରଣ କୋରାପୁଟରେ ଦେଖିବାକୁ ମିଳିଛି। ଜଣେ ମଦ୍ୟପ ସ୍କର୍ପିଓ ଚାଳକ ରେଷ୍ଟୁରାଣ୍ଟ ସମ୍ମୁଖରେ ପାର୍କିଂ ହୋଇଥିବା ୪ଟି ସ୍କୁଟି ଓ ବାଇକ୍କୁ ଧକ୍କା ଦେଇ ସମ୍ପୂର୍ଣ୍ଣ ଚୁରମାର କରିଦେଇଛନ୍ତି। ଘଟଣାରେ ବଡ଼ ଧରଣର ଜୀବନହାନି ଟଳିଥିବାବେଳେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ଏହି ଘଟଣା କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସମ୍ମୁଖସ୍ଥ ରାସ୍ତାରେ ଘଟିଛି। ସୂଚନା ଅନୁଯାୟୀ, ଅନେକ ଲୋକ ନିଜ ଦୁଇଚକିଆ ଗାଡ଼ି ପାର୍କିଂ କରି ନିକଟସ୍ଥ ଏକ ରେଷ୍ଟୁରାଣ୍ଟରେ ଖାଦ୍ୟ ଗ୍ରହଣ କରୁଥିଲେ। ଏହି ସମୟରେ ହଠାତ୍ ବାହାରୁ ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ଲୋକେ ବାହାରକୁ ଆସି ଦେଖିବା ବେଳକୁ ଏକ ସ୍କର୍ପିଓ ଗାଡ଼ି ଧକ୍କାରେ ୪ଟି ବାଇକ୍ ଓ ସ୍କୁଟି ଭାଙ୍ଗି ଚୁରମାର ହୋଇଯାଇଥିଲା। ସୌଭାଗ୍ୟବଶତଃ ସେହି ସମୟରେ କେହି ଗାଡ଼ି ନିକଟରେ ନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଥିଲା। ଦୁର୍ଘଟଣା ପରେ ସ୍କର୍ପିଓ ଚାଳକ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ତେବେ ସ୍ଥାନୀୟ ଲୋକମାନେ ପିଛା କରି ତାଙ୍କୁ କାବୁ କରିଥିଲେ ଏବଂ ପରେ କୋରାପୁଟ ଟାଉନ୍ ଥାନା ପୁଲିସଙ୍କ ଜିମା ଦେଇଥିଲେ। ପ୍ରାଥମିକ ତଦନ୍ତରୁ ଚାଳକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଚଳାଇଥିବାବେଳେ ଚାଳକଙ୍କ ମେଡିକାଲ ପରୀକ୍ଷା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଉଛି।












Leave a Reply