ଓଡ଼ିଶାକୁ ରେଡ୍ ଆଲର୍ଟ: ଲଘୁଚାପ ପ୍ରଭାବରେ ଭୀଷଣ ବର୍ଷା, ୬୦ କିମି ବେଗରେ ଝଡ଼ ପବନ ଆଶଙ୍କା

ଅକ୍ଷର ବ୍ୟୁରୋ: ବର୍ଷାକୁ ନେଇ ଓଡ଼ିଶା ପାଇଁ ବଡ଼ ଚେତାବନୀ। ରାଜ୍ୟର କିଛି ସ୍ଥାନରେ ଆଗାମୀ ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଆଇଏମ୍‌ଡି ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେପଟେ ଉତ୍ତର ଓଡ଼ିଶା ଉପକୂଳ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ସ୍ପଷ୍ଟ ହେବା ସହ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି। ଲଘୁଚାପଟି ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ସ୍ପଷ୍ଟ ହୋଇପାରେ। ଏହାର ପ୍ରଭାବରେ ୧୬ରୁ ୧୮ ଅଗଷ୍ଟ ଯାଏଁ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଝଡ଼ ପବନ ବହିବାର ଆଶଙ୍କା ରହିଛି।

ପାଣିପାଗ ବିଭାଗର ଆକଳନ ଅନୁସାରେ, ସମୁଦ୍ରରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିପାରେ। ଝଟକା ପବନର ବେଗ ୬୦ କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ବଢ଼ିପାରେ। ଏହାର ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବାଂଲାଦେଶ ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶର ଉପକୂଳ ଏବଂ ନିକଟବର୍ତ୍ତୀ ସମୁଦ୍ର ଅଞ୍ଚଳରେ ପାଗ ଅଶାନ୍ତ ରହିବ। ସମୁଦ୍ର ରଫ୍‌ରୁ ଭେରି ରଫ୍‌ ରହିବାର ଆଶଙ୍କା ମଧ୍ୟ ରହିଛି। ଏହି ପରିସ୍ଥିତିକୁ ନଜରରେ ରଖି ୧୬ରୁ ୧୮ ଅଗଷ୍ଟ ଯାଏଁ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରକୁ ମାଛଧରାଳିଙ୍କୁ ନଯିବାକୁ ପରାମର୍ଶ ଦିଆଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ସତର୍କ ରହିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial