ଅକ୍ଷର ବ୍ୟୁରୋ: ଏଣିକି ମନ୍ଦିର ପରିସରକୁ କେହି ପଲିଥିନ୍ କିମ୍ବା ପ୍ଲାଷ୍ଟିକରେ ଭୋଗ ନେଇପାରିବେ ନାହିଁ । ପୂଜା ସାମଗ୍ରୀ ଓ ପ୍ରସାଦ ନେବାକୁ ଆଉ ପ୍ଲାଷ୍ଟିକ୍ ବ୍ୟବହାର ନ କରିବା ଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଛି । ପ୍ଲାଷ୍ଟିକ୍, ପଲିଥିନ୍ ପରି ଅଳିଆ ଆବର୍ଜନା ଯୋଗୁଁ ହେଉଥିବା ପ୍ରଦୂଷଣ ହ୍ରାସ ଏବଂ ଜନସାଧାରଣଙ୍କ ମଧ୍ୟରେ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ଏସ୍ପିସିବି କହିଛି । ଏଥିସହ ଭକ୍ତ, ପୂଜା ସାମଗ୍ରୀ ବିକ୍ରୟ ବ୍ୟବସାୟୀ, ମନ୍ଦିର ପରିଚାଳନା କମିଟି ପାଇଁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି ହୋଇଛି । ମନ୍ଦିର ପରିସରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବାରଣ ହୋଇଛି । ମନ୍ଦିରକୁ ପ୍ରସାଦ ନେବା ପାଇଁ ବାଉଁଶ ଟୋକେଇ, ପତ୍ର ତିଆରି ଠୋଲା, ପୁନଃ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଟୋକେଇ ବ୍ୟବହାର କରିପାରିବେ ।
ବ୍ୟବସାୟୀମାନେ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ପଲିଥିନ୍, ପ୍ଲାଷ୍ଟିକ୍ରେ ସାମଗ୍ରୀ ବିକ୍ରୟ କରିବେ ନାହିଁ । ତା’ ବଦଳରେ ପତ୍ର, ବାଉଁଶ ଟୋକେଇରେ ପୂଜା ସାମଗ୍ରୀ ଓ ପ୍ରସାଦ କ୍ରୟ ବିକ୍ରୟ କରିବାକୁ ପରାମର୍ଶ ଦିଆଯାଇଛି । ସ୍ୱଚ୍ଛ ପରିବେଶ ରଖିବା ଦିଗରେ ମନ୍ଦିର ପ୍ରଶାସନର ପ୍ରମୁଖ ଭୂମିକା ରହିଛି । ତେଣୁ ମନ୍ଦିର ପ୍ରଶାସନ ପକ୍ଷରୁ ପୂଜା ସାମଗ୍ରୀ ବିକ୍ରି କରିବାକୁ ବାଉଁଶ ଟୋକେଇ, ପତ୍ର ତିଆରି ଠୋଲା, ପୁନଃ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଟୋକେଇ ଉପଲବ୍ଧ କରାଇବେ । ଶୁଖିଲା ଅଳିଆ ଓ ଓଦା ଅଳିଆ ସଂଗ୍ରହ ପାଇଁ ପୃଥକ ରଙ୍ଗିନ ଡଷ୍ଟବିନ୍ ଉପଲବ୍ଧ କରାଇବେ । ପୌରପାଳିକାଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ଅଳିଆ ସଂଗ୍ରହକାରୀଙ୍କୁ ମନ୍ଦିରର ସମସ୍ତ ଅଳିଆ ହସ୍ତାନ୍ତର କରିବେ ।
ପ୍ରସାଦ ତଥା ଖାଦ୍ୟ ପରିବେଷଣ ପାଇଁ ଏକକ ବ୍ୟବହୃତ ପ୍ଲାଷ୍ଟିକ/ଥର୍ମକୋଲ୍ କଟ୍ଲେରି ଯଥା କପ୍, ପ୍ଲେଟ୍, ପ୍ଲାଷ୍ଟିକ୍ ଷ୍ଟ୍ର, ଛୁରି, କଣ୍ଟା ଚାମଚା ଓ ୧୨୦ ମାଇକ୍ରୋନ୍ରୁ କମ୍ ପ୍ଲାଷ୍ଟିକ୍ କ୍ୟାରି ବ୍ୟାଗ୍ ବ୍ୟବହାର ନକରିବାକୁ ମନ୍ଦିର, ଏହାର ନିକଟବର୍ତ୍ତୀ ହୋଟେଲ, ରେସ୍ତୋରାଁ ଓ ସ୍ଥାନୀୟ ବିକ୍ରେତାମାନଙ୍କୁ ନିର୍ଦ୍ଦେଶ ଦେବାକୁ ମନ୍ଦିର ପ୍ରଶାସନକୁ କୁହାଯାଇଛି । ମନ୍ଦିର ପ୍ରଶାସନ ଜୈବ ବିଘଟନଯୋଗ୍ୟ କଟ୍ଲେରି ଯଥା ପତ୍ର ପ୍ଲେଟ୍, କାଠ ଚାମଚ, କାଗଜ ଷ୍ଟ୍ର, କାଗଜ ପ୍ଲେଟ୍, ଧାତୁ ପ୍ଲେଟ୍ କିମ୍ବା କମ୍ପୋଷ୍ଟେବଲ୍ ପ୍ଲାଷ୍ଟିକ୍ରେ ତିଆରି କଟ୍ଲେରି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଇବେ । ମନ୍ଦିର ପରିସରରେ ଥିବା ପୋଖରୀ କିମ୍ବା ଜଳାଶୟରେ ଭକ୍ତଙ୍କ ଦ୍ବାରା ନୈବେଦ୍ୟ ବିସର୍ଜନ ନିମନ୍ତେ ଏକ ଆବଦ୍ଧ ଅଞ୍ଚଳ ଚିହ୍ନଟ କରିବେ । ଏହାଦ୍ବାରା ବିସର୍ଜନ ସାମଗ୍ରୀଗୁଡ଼ିକୁ ପରବର୍ତ୍ତୀ ସମୟରେ ସହଜରେ ନିଷ୍କାସନ କରାଯାଇପାରିବ । ପୂଜା ପରବର୍ତ୍ତୀ ବଳକା ଅଳିଆଗୁଡ଼ିକୁ ଉପଯୁକ୍ତ ଡବା ଓ ପୋଖରୀର ଆବଦ୍ଧ ଅଞ୍ଚଳରେ ବିସର୍ଜନ କରିବାକୁ ଜନସାଧାରଣଙ୍କ ମଧ୍ୟ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି ।












Leave a Reply